ବର୍ଷା ରେ ଭାଙ୍ଗିଲା ବନ୍ଧ ଚାଷଜମି ବାଲିଚର ବନ୍ଧ ର ନିମ୍ନମାନର କାମକୁ ନେଇ ଅଭିଯୋଗ

ବର୍ଷା ରେ ଭାଙ୍ଗିଲା ବନ୍ଧ ଚାଷଜମି ବାଲିଚର ବନ୍ଧ ର ନିମ୍ନମାନର କାମକୁ ନେଇ ଅଭିଯୋଗ

ବର୍ଷା ରେ ଭାଙ୍ଗିଲା ବନ୍ଧ ଚାଷଜମି ବାଲିଚର ବନ୍ଧ ର ନିମ୍ନମାନର କାମକୁ ନେଇ ଅଭିଯୋଗ

ରାୟଗଡ (info media): ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରୁ କୋଲନରା ବ୍ଲକ ଅନ୍ତର୍ଗତ କୈଳାଶପୁର ପଞ୍ଚାୟତର ସାନ ଖିଲାପଦର ଗ୍ରାମରେ ଥିବା ଏକ ନବ ନିର୍ମିତ ବନ୍ଧ ଭାଙ୍ଗିଯିବା ଫଳରେ ତଳମୁଣ୍ଡରେ ଥିବା ଚାଷଜମି ଗୁଡ଼ିକରେ ପାଣି ସହ ବିପୁଳ ପରିମାଣର ବାଲି ପଶି ଚାଷଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଇ କିଛି ଦିନ ତଳେ ଚାଷ ଜମିରେ ଧାନ ରୁଆ ଯାଇଥିବା ବେଳେ ସେସବୁ ନଷ୍ଟ ହୋଇଯାଇଛି। ଅନେକ ଜମିରେ ଆଣ୍ଠୁଏ ଉଚ୍ଚରେ ବାଲି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସ୍ଥାନୀୟ ଚାଷୀଙ୍କ କହିବା ଅନୁସାରେ, ବନ୍ଧ ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ଏହି ଲଗାଣ ବର୍ଷା ଯୋଗୁଁ ବନ୍ଧ ଉପରେ ଅତ୍ୟଧିକ ଜଳଚାପ ସୃଷ୍ଟି ହୋଇଥିଲା। ଶେଷରେ ବନ୍ଧର ଏକ ଅଂଶ ଭାଙ୍ଗିଯାଇ ପାଣି ତଳମୁଣ୍ଡକୁ ମାଡ଼ି ଯାଇଥିଲା। ପାଣିର ସ୍ରୋତ ସହ ବାଲି ଓ ମାଟି ଚାଷଜମିରେ ପଶି ଫସଲ ଉପରେ ଜମି ରହିଛି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ବନ୍ଧ ନିର୍ମାଣ କାର୍ଯ୍ୟରେ ଗୁଣାତ୍ମକ ମାନକୁ ଠିକ୍‌ ଭାବେ ଅନୁସରଣ କରାଯାଇ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ନିମ୍ନମାନର କାମ ଯୋଗୁଁ ବନ୍ଧ ଦୁର୍ବଳ ହୋଇଥିବା ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯୋଗର ସଠିକ୍ ଭାବେ ସତ୍ୟତା ଯାଞ୍ଚ ହୋଇନାହିଁ। ବନ୍ଧ ଭାଙ୍ଗିବା ଯୋଗୁଁ ଚାଷୀଙ୍କ ଚାଷ ଜମିରେ ବାଲି ଜମି ଯାଇଥିବାରୁ ଫସଲ ସବୁ ନଷ୍ଟ ହୋଇ ଯାଇଛି ଏବଂ ଆଗାମୀ ଦିନରେ ଚାଷ କରିବା ନେଇ ମଧ୍ୟ ସମସ୍ୟା ଦେଖାଦେଇଛି। ଜମିରୁ ବାଲି ହଟାଇବା ପାଇଁ ଚାଷୀଙ୍କୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି। ଏଥିସହ ବନ୍ଧର ଭଙ୍ଗା ଅଂଶ ତୁରନ୍ତ ମରାମତି କରିବା ସହ ଚାଷଜମିରୁ ବାଲି ହଟାଇବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ନିର୍ମାଣ କାର୍ଯ୍ୟର ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଏହା କେଉଁ ଆର୍ଥିକ ବର୍ଷର ଏବଂ କେଉଁ ଯୋଜନାରେ କାର୍ଯ୍ୟ ହେଉଛି ଓ କେତେ ଟଙ୍କା ମଞ୍ଜୁର ହୋଇଛି ତାହା ମଧ୍ୟ ଲେଖାଯାଇ ନାହିଁ। ଘଟଣାର ତଦନ୍ତ କରାଯାଇ ବନ୍ଧ ନିର୍ମାଣର ମାନ ଯାଞ୍ଚ କରିବା ସହ ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଗଲେ ଭବିଷ୍ୟତରେ ଏଭଳି ସମସ୍ୟାର ପୁନରାବୃତ୍ତି ରୋକାଯାଇ ପାରିବ ବୋଲି ଚାଷୀମାନେ କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀ ମୋହନ କଣ୍ଡାଗରି, ନୀଳାଦ୍ରି ପୁଷିକା, ସନ୍ତୋଷ କଣ୍ଡାଗରି ସମେତ ଅନ୍ୟମାନେ ଦାବି କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ