*ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆନ୍ଦୋଳନକାରୀଙ୍କ ସତ୍ୟାଗ୍ରହ । ଗଜପତି,୧୫.୯(ମନୋଜ ପାଢ଼ୀ) :- ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣକୁ ବିରୋଧ କରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଆହ୍ବାନ ଦେଇ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ଆଇନଜୀବୀ ଶ୍ରୀ ମନୋଜ କୁମାର ପାତ୍ରଙ୍କ ଆହ୍ୱାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା।ପାରଳାଖେମୁଣ୍ଡି ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି, ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ସଦସ୍ୟ ଶ୍ରୀ ଜଗଦୀଶ ମହାପାତ୍ର, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ରାଜେନ୍ଦ୍ର ପଢିଆରୀ, ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।ଏହି ସତ୍ୟାଗ୍ରହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ ଓ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଯୋଗଦେଇ ନେରେଡି ପ୍ରକଳ୍ପକୁ ବିରୋଧ କରିବା ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ପାଣିଡଙ୍ଗର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି ଉପସ୍ଥାପନ କରି ଥିଲେ।ସତ୍ୟାଗ୍ରହରେ ଉଦ୍ବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ସରକାରଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶା ପ୍ରତି ସବୁବେଳେ ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଆସିଛି। ଜଳ, ଜଙ୍ଗଲ ଓ ଜମି ଓଡ଼ିଶାର ହୋଇଥିବା ବେଳେ ନେରେଡି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହାର ଲାଭ ଆନ୍ଧ୍ରପ୍ରଦେଶର ଜନସାଧାରଣ ପାଇବେ ବୋଲି ସେମାନେ ଅଭିଯୋଗ କରିଥିଲେ।ନେରେଡି ବ୍ୟାରେଜ ନିର୍ମାଣ ହେଲେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ କୃଷକମାନଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ କାଶୀନଗର ଓ ପାରଳାଖେମୁଣ୍ଡିର ଆଖପାଖ ଅଞ୍ଚଳରେ ଜଳକଷ୍ଟ ଦେଖାଦେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ତେଣୁ ଅଞ୍ଚଳବାସୀଙ୍କ ଜୀବନ, ଜୀବିକା ଓ କୃଷିଭିତ୍ତିକ ଅର୍ଥନୀତିର ସୁରକ୍ଷା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଥିଲେ।ବଂଶଧାରା ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ବ୍ରଜମୋହନ ନାୟକ ଓ ଖାଣ୍ଡବା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଜଗନ୍ନାଥ ଦୋରାଙ୍କ ନେତୃତ୍ୱରେ ସାରା, ବାଡିଗାଁ ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ଗ୍ରାମବାସୀ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଆନ୍ଦୋଳନକାରୀ ମିଳିତ ଭାବରେ ନେରେଡି ପ୍ରକଳ୍ପ ନିର୍ମାଣ ବନ୍ଦ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଥିଲେ।
ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆନ୍ଦୋଳନକାରୀଙ୍କ ସତ୍ୟାଗ୍ରହ ।
