ଦିବଙ୍ଗତ ଶିକ୍ଷକ ଙ୍କ ପୁଣ୍ୟତିଥି ଅବସରରେ ସ୍ମୃତି ସଭା
ରାୟଗଡ ( info media) ସ୍ଥାନୀୟ ଅଞ୍ଚଳର ଜଣେ ଆଦର୍ଶ, ଛାତ୍ରବତ୍ସଳ ତଥା ସୁପରିଚିତ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଦିବଙ୍ଗତ ଶିକ୍ଷକ ପ୍ରପନ୍ ତ୍ରିପାଠୀଙ୍କ ପ୍ରଥମ ମାସିକ ପୁଣ୍ୟ ତିଥି ଅବସରରେ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ସ୍ଥାନୀୟ ସୀତାରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ‘ପ୍ରପନ୍ ସ୍ମୃତି କମିଟି’ ପକ୍ଷରୁ ଆୟୋଜିତ ଏହି ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଶିକ୍ଷକ ରମେଶ ମିଶ୍ର,ଶିଶିର ପଣ୍ଡା,ପ୍ରମୋଦ ତ୍ରିପାଠୀ,ବିଦୁର ପଣ୍ଡା,ସ୍ଥାନୀୟ ବୁଦ୍ଧିଜୀବୀ,ଗ୍ରାମବାସୀ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ଶିକ୍ଷକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ଉପସ୍ଥିତ ଅତିଥି ଓ ସ୍ମୃତି କମିଟିର ସଦସ୍ୟମାନେ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସମାଜ ଗଠନରେ ତାଙ୍କର ଅବଦାନକୁ ମନେ ପକାଇଥିଲେ। ସେ କେବଳ ଜଣେ ଶିକ୍ଷକ ନଥିଲେ, ବରଂ ଜଣେ ମାର୍ଗଦର୍ଶକ ଓ ମେଳାପୀ ମଣିଷ ଭାବରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତାଙ୍କର ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ଆଲୋଚନା ହୋଇଥିଲା।ପ୍ରପନ୍ ସ୍ମୃତି କମିଟି ପକ୍ଷରୁ ଆଗାମୀ ଦିନରେ ତାଙ୍କର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ଅଞ୍ଚଳ ର ଜଣେ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ ସମାଜ ମଙ୍ଗଳମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଶେଷରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହି ସ୍ମୃତି ସଭାରେ ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ।ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ ମଞ୍ଚ ସଂଯୋଜନା କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
