ଟିକାବାଲିରେ ‘ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା’ ଅନ୍ତର୍ଗତ ଦୃଷ୍ଟି ପରୀକ୍ଷା ଶିବିର୨୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା
କନ୍ଧମାଳ , ୧୬/୧୧/୨୦୨୬: (ରିପୋର୍ଟ କୁନା ଦିଗାଲ )ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟର ସୁରକ୍ଷା, ଦୃଷ୍ଟିଜନିତ ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପରାମର୍ଶ ପ୍ରଦାନ ଉଦ୍ଦେଶ୍ୟରେ ‘ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା’ ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସୋମବାର ଟିକାବାଲି ବ୍ଲକ୍ର ବି.ଆର୍.ସି. ହଲ୍ଠାରେ ଏକ ଦୃଷ୍ଟି ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିରରେ ୨୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।କାର୍ଯ୍ୟକ୍ରମରେ ଟିକାବାଲି ଗୋଷ୍ଠୀ ସାଧନ କେନ୍ଦ୍ରର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ୍ୱର କହଁର, ଗୋଷ୍ଠୀ ସମ୍ବଳ ପ୍ରଶିକ୍ଷକ ଶ୍ରୀ ଶୁଭେନ୍ଦୁ ମହାପାତ୍ର, ଚକ୍ଷୁ ନିରୀକ୍ଷକ ଶ୍ରୀ ଏସ୍.କେ. ବରାଡ଼ ଓ ଶ୍ରୀ ଜି. ଚକ୍ରବର୍ତ୍ତୀ, ସି.ଆର୍.ସି.ସି. ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ଜୟପ୍ରକାଶ ପାତ୍ର ଓ ଶ୍ରୀ ବିଷ୍ଣୁ ପ୍ରସାଦ ହୋତା ପ୍ରମୁଖ ଉପସ୍ଥିତ ରହି ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ।ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ଚକ୍ଷୁ ସମସ୍ୟାକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରିବା, ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିବା ଏବଂ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ଶିଶୁମାନଙ୍କ ସୁସ୍ଥ ଜୀବନ, ଉତ୍ତମ ଶିକ୍ଷାଗ୍ରହଣ ଓ ସାମଗ୍ରିକ ବିକାଶ ପାଇଁ ଚକ୍ଷୁ ସ୍ୱାସ୍ଥ୍ୟର ଯତ୍ନ ଅତ୍ୟନ୍ତ ଅପରିହାର୍ଯ୍ୟ। କାରଣ ସୁସ୍ଥ ଦୃଷ୍ଟିଶକ୍ତି ହିଁ ଶିକ୍ଷାର ଆଲୋକମୟ ଭବିଷ୍ୟତ ଗଠନର ଏକ ମୁଖ୍ୟ ଆଧାର।
