ଟିକାବାଲିରେ ପାଚିକା ଓ ପାଚିକା ସହାୟିକାଙ୍କ ପାଇଁ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ପ୍ରଶିକ୍ଷଣ….
କନ୍ଧମାଳ:-(ରିପୋର୍ଟ କୁନା ଦିଗାଲ )ଜୁଲାଇ ୩୧: ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ସରକାରୀ ବିଦ୍ୟାଳୟର ପାଚିକା ଓ ପାଚିକା ସହାୟିକାମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଟିକାବାଲି ଉଚ୍ଚ ବିଦ୍ୟାଳୟ ଓ ପାବୁରିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନବନିଯୁକ୍ତ ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ଶ୍ରୀ ଗଣେଶ୍ୱର କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ପୂର୍ବତନ ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ସାମଲ ମଞ୍ଚାସୀନ ଥିଲେ।ପ୍ରଶିକ୍ଷଣରେ ଟିକାବାଲି ବ୍ଲକର ସମସ୍ତ ବିଦ୍ୟାଳୟର ପାଚିକା ଓ ପାଚିକା ସହାୟିକାମାନେ ଯୋଗଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଗୁଣାତ୍ମକ ଭାବେ ପରିଚାଳନା କରିବା ସମ୍ବନ୍ଧରେ ତାଲିମ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ତଥ୍ୟ ପରିଚାଳକ ଶ୍ରୀ ସୁବ୍ରତ କୁମାର ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ବିଷ୍ଣୁପ୍ରସାଦ ହୋତା, ଶ୍ରୀମତୀ ଶୁଭସ୍ମୃତି ଦାଶ, ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଜେନା, ଶ୍ରୀ ପବିତ୍ର କୁମାର ସାହୁ ଓ ଶ୍ରୀ ରବି ନାରାୟଣ ସାହୁ ସମ୍ବଳ ଶିକ୍ଷକ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହାସହ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।ପ୍ରଶିକ୍ଷଣରେ ପାଚିକା ଓ ପାଚିକା ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ୱ, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା, ରୋଷେଇ ଘର ଏବଂ ବାସନକୁସନର ସ୍ୱଚ୍ଛତା, ଖାଦ୍ୟ ଦୂଷିତ ହେବାର କାରଣ ଓ ପ୍ରତିରୋଧ, କଞ୍ଚାମାଲର କ୍ରୟ, ଗୁଣବତ୍ତା ସୁନିଶ୍ଚିତତା ଏବଂ ସଂରକ୍ଷଣ, ପୋଷକ ତତ୍ତ୍ୱ ବଜାୟ ରଖି ରୋଷେଇ ପ୍ରଣାଳୀ, ସ୍ୱାଦ ପରୀକ୍ଷା ଓ ଖାଦ୍ୟ ପରିବେଷଣ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପରିଚାଳନା ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା ସହ ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଥିଲା।ଶେଷରେ ଧନ୍ୟବାଦ ଜ୍ଞାପନ ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
