ଟିକାବାଲିରେ ଦିବ୍ୟାଙ୍ଗଜନଙ୍କ ପାଇଁ ଚିକିତ୍ସା ମୂଲ୍ୟାୟନ ଓ ସହାୟକ ଉପକରଣ ବଣ୍ଟନ ଶିବିର
କନ୍ଧମାଳ:- ତା ୧୭.୧୧.୨୦୨୬: (ରିପୋର୍ଟ କୁନା ଦିଗାଲ )ଦିବ୍ୟାଙ୍ଗ ଶିଶୁ ଓ ଆବଶ୍ୟକତା ଥିବା ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଟିକାବାଲି ବି.ଆର୍.ସି.ସି. ହଲ୍ଠାରେ ଏକ ଚିକିତ୍ସା ମୂଲ୍ୟାୟନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ଶ୍ରୀ ଗଣେଶ୍ୱର କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନଦିନୀ ସାମଲ, ଗୋଷ୍ଠୀ ସମ୍ବଳ ଶିକ୍ଷକ (ବି.ଆର୍.ଟି.) ଶ୍ରୀ ଶୁଭେନ୍ଦୁ ମହାପାତ୍ର ଓ ଶ୍ରୀମତୀ ଅନିତା ସାହୁଙ୍କ ସମେତ ସି.ଆର୍.ସି.ସି. ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ପବିତ୍ର ସାହୁ, ଶ୍ରୀ ବିଷ୍ଣୁ ପ୍ରସାଦ ହୋତା, ଶ୍ରୀ ଲାଲମୋହନ କହଁର ଓ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ସମଗ୍ର ଶିକ୍ଷା, କନ୍ଧମାଳ ପକ୍ଷରୁ ଆୟୋଜିତ ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତା ଅନୁଯାୟୀ ଚିକିତ୍ସାଗତ ମୂଲ୍ୟାୟନ କରାଯିବା ସହ ହ୍ୱିଲ୍ ଚେୟାର, ଶ୍ରବଣ ଯନ୍ତ୍ର, ଆଶାବାଡ଼ି, ଚାଲିବା ପାଇଁ ସହାୟକ ଉପକରଣ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା।
ଏହି ପଦକ୍ଷେପ ଦ୍ୱାରା ଦିବ୍ୟାଙ୍ଗ ଶିଶୁମାନଙ୍କ ଗତିଶୀଳତା, ଶିକ୍ଷାଗ୍ରହଣ ଓ ଦୈନନ୍ଦିନ ଜୀବନକୁ ଅଧିକ ସହଜ ଓ ସ୍ୱାଭାବିକ କରିବା ସହ ସମାବେଶୀ ଶିକ୍ଷାର ପରିକଳ୍ପନାକୁ ସୁଦୃଢ଼ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ବାଧାମୁକ୍ତ ସମାଜ ଗଠନ ଓ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ଉଦ୍ୟମ।
