*ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ବିଧାୟକ ।
ଗଜପତି, ୨୬.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ସମ୍ଭାବ୍ୟ ବାତ୍ୟାର ମୁକାବିଲା ତଥା ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକରେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ବୈଠକରେ ଗଜପତି ଜିଲ୍ଲାପାଳ , ଉପ ଜିଲ୍ଲାପାଳ ସୁଶ୍ରୀ ଭାଗବତ ଶ୍ୟାମଲ କଲ୍ୟାଣରାଓ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ତଥା ପୂର୍ବତନ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।ବୈଠକରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା, ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଆଗୁଆ ପ୍ରସ୍ତୁତି ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା।ବାତ୍ୟା ସମୟରେ ଯେପରି କୌଣସି ଅଞ୍ଚଳରେ ଜନଜୀବନ ପ୍ରଭାବିତ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଏବଂ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ତଥା ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରିଲିଫ୍ ବ୍ୟବସ୍ଥା, ଜରୁରୀକାଳୀନ ସେବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଆଲୋଚନା ହୋଇଥିଲା।ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଆବଶ୍ୟକ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
