ଛାତ୍ରୀ ନିବାସ କୁ ରାସ୍ତା ନାହିଁ, ଅସୁବିଧାରେ ୨୩୦ ଆଦିବାସୀ ଛାତ୍ରୀ ।

ଛାତ୍ରୀ ନିବାସ କୁ ରାସ୍ତା ନାହିଁ, ଅସୁବିଧାରେ ୨୩୦ ଆଦିବାସୀ ଛାତ୍ରୀ ।

ଛାତ୍ରୀ ନିବାସ କୁ ରାସ୍ତା ନାହିଁ, ଅସୁବିଧାରେ ୨୩୦ ଆଦିବାସୀ ଛାତ୍ରୀ ।

ଗଜପତି,୨୮.୮(ମନୋଜ କୁମାର ପାଢୀ)-:ଛାତ୍ରୀ ନିବାସ ଅଛି, ଛାତ୍ରୀ ଅଛନ୍ତି, ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ ପ୍ରତିଦିନ ଯାତାୟାତରେ ହନ୍ତସନ୍ତ ହେଉଛନ୍ତି ପ୍ରାୟ ୨୩୦ ଜଣ ଆଦିବାସୀ ଛାତ୍ରୀ। ଏଭଳି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ଚାନ୍ଦିପୁଟ ଆଦିବାସୀ ବାଳିକା ବିଦ୍ୟାପୀଠରେ।ବିଦ୍ୟାଳୟ ସହ ଛାତ୍ରୀ ନିବାସ କୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବେହେରା। ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକମାନେ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି।ଚାନ୍ଦିପୁଟ ଆଦିବାସୀ ବାଳିକା ବିଦ୍ୟାପୀଠରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣ ଆଦିବାସୀ ଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ବିଦ୍ୟାଳୟ ସହ ଛାତ୍ରୀ ନିବାସ କୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ପ୍ରତିଦିନ ଛାତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭୋଗିବାକୁ ପଡୁଛି ଅନେକ ସମସ୍ୟା।ବିଶେଷକରି ବର୍ଷା ଦିନରେ ସ୍ଥିତି ଆହୁରି ଦୟନୀୟ ହୋଇପଡୁଥିବା ଅଭିଯୋଗ ହୋଇଛି। ରାସ୍ତା ଖରାପ ଥିବାରୁ ଛାତ୍ରୀଙ୍କ ଯାତାୟାତ ସହ ଜରୁରୀକାଳୀନ ସମୟରେ ଯିବାଆସିବା ମଧ୍ୟ ଏକ ବଡ଼ ସମସ୍ୟା ପାଲଟିଛି।କେବଳ ରାସ୍ତା ସମସ୍ୟା ନୁହେଁ, ବିଦ୍ୟାଳୟରେ ଜରୁରୀକାଳୀନ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ କିମ୍ବା ମେଡ଼ିକାଲ ଖର୍ଚ୍ଚ ବାବଦକୁ କୌଣସି ଅର୍ଥ ଜିଲ୍ଲା ମଙ୍ଗଳ ଅଧିକାରୀ ଦେଉ ନାହାନ୍ତି। ଯାହା ଫଳରେ ଗରିବ ଆଦିବାସୀ ଛାତ୍ରୀ ଟିଏ ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହେଉ ଅଛି।ଏହାସହ ବିଦ୍ୟାଳୟ ଓ ଛାତ୍ରୀ ନିବାସ କୁ ବାର୍ଷିକ ମରାମତି ପାଇଁ ଆସୁଥିବା ଅର୍ଥ ମଧ୍ୟ ବନ୍ଦ ହୋଇଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି।ଆଦିବାସୀ ଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ଆଦିବାସୀ ବାଳିକା ବିଦ୍ୟାଳୟରେ ଏଭଳି ମୌଳିକ ସମସ୍ୟା କାହିଁକି ରହିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଦ୍ୟାଳୟକୁ ରାସ୍ତା ନିର୍ମାଣ, ଆବଶ୍ୟକ ମେଡ଼ିକାଲ ଖର୍ଚ୍ଚ ଏବଂ ମରାମତି ପାଇଁ ଅର୍ଥ ଯୋଗାଣ ଏହି ତିନୋଟି ଦାବିକୁ ନେଇ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଦ୍ୱାରସ୍ଥ ହୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ଓ ଅଭିଭାବକ।ଏବେ ପ୍ରଶ୍ନ ହେଉଛି, ୨୩୦ ଜଣ ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ କେବେ ନେବ ପଦକ୍ଷେପ? କେବେ ହେବ ବିଦ୍ୟାଳୟକୁ ଯିବା ପାଇଁ ଭଲ ରାସ୍ତା? ଆଉ କେବେ ସମାଧାନ ହେବ ଔଷଧ ଓ ମରାମତି ଅର୍ଥର ସମସ୍ୟା? ଏବେ ଏହାକୁ ହିଁ ଅପେକ୍ଷା। ତେବେ ଅଭିଯୋଗ ପରେ ପ୍ରଶାସନ କେବେ ନେଉଛି ପଦକ୍ଷେପ, ତାହା ଉପରେ ଏବେ ସମସ୍ତଙ୍କ ନଜର।”