ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ପଞ୍ଚାୟତ ବେଲପୁଞ୍ଜି ଗ୍ରାମରେ ଚଢ଼ିଆପଲ୍ଲୀ ଢେପ ସାହିର ଗୋପାଳକୃଷ୍ଣ ସେଠୀ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିର ନିକଟରେ ଏକ ଶାଢ଼ୀ ପିନ୍ଧି ଫୁଲମାଳ ଗଳାଇ ଗୋଟିଏ ଖପୁରୀ ଧରି ପୂଜାଚନା କରୁଥିଲେ । ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଏ ବିଷୟରେ ପଚାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ୨୦/୩୦ ଜଣ ଗ୍ରାମବାସୀ ମାନେ ଗୋପାଳକୃଷ୍ଣଙ୍କ ହାତ ବାନ୍ଧି ପକାଇ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ଗୋପାଳକୃଷ୍ଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି ।ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତଙ୍କ ପୁଅ ଜ୍ୟୋତିର୍ମୟ ସେଠୀଙ୍କ ଲିଖିତ ଅଭିଯୋଗ ଆଧାରରେ ବେଲଗୁଣ୍ଠା ଥାନା କେସ୍ ନଂ ୮୯/୨୫ ମୂଳେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨), ୧୧୫(୨),୧୧୭/୧୦୯(୧),୩୫୧(୨),୧୯୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଜି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଲି ସ୍ୱାଇଁ, ବୈଦ୍ୟନାଥ ପ୍ରଧାନ, ସନ୍ତୋଷ ବିଶୋଇ, ବାଦଲ ବିଶୋଇ, ମରାଠି ସ୍ୱାଇଁ,ରାମ କୃଷ୍ଣ ସ୍ୱାଇଁ, ପ୍ରଦୀପ ସ୍ୱାଇଁ,ନୀଳାଞ୍ଚଳ ପ୍ରଧାନ,ଶିବରାମ ବିଶୋଇ ଏବଂ ରଞ୍ଜନ ବିଶୋଇ ।ଘଟଣାସ୍ଥଳରୁ ପୋଲିସ ଦୁଇଟି ବାଉଁଶ ବାଡ଼ି ଏବଂ ଗୋଟିଏ ରଶି ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
