ଗଜପତି ଜିଲ୍ଲାରେ ଗ୍ରାମଗୁଡ଼ିକର ମୂଳ ନାମ ପରିବର୍ତ୍ତନକୁ ନେଇ ଉଦ୍‌ବେଗ* ।

ଗଜପତି ଜିଲ୍ଲାରେ ଗ୍ରାମଗୁଡ଼ିକର ମୂଳ ନାମ ପରିବର୍ତ୍ତନକୁ ନେଇ ଉଦ୍‌ବେଗ* ।

*ଗଜପତି ଜିଲ୍ଲାରେ ଗ୍ରାମଗୁଡ଼ିକର ମୂଳ ନାମ ପରିବର୍ତ୍ତନକୁ ନେଇ ଉଦ୍‌ବେଗ* ।

ଗଜପତି,୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମର ମୂଳ ନାମ ପରିବର୍ତ୍ତନ କିମ୍ବା ବିକୃତ ଭାବରେ ଲେଖାଯିବା ଘଟଣାକୁ ନେଇ ଏବେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗ୍ରାମଗୁଡ଼ିକର ପାରମ୍ପରିକ ନାମ, ଐତିହାସିକ ପୃଷ୍ଠଭୂମି ଓ ସ୍ଥାନୀୟ ସାଂସ୍କୃତିକ ପରିଚୟ କ୍ରମେ ବଦଳିବା ଘଟଣା ଜିଲ୍ଲାର ଭାଷା ଓ ସଂସ୍କୃତିର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୂର୍ବରୁ ଏହି ପ୍ରସଙ୍ଗରେ ସଂସ୍କୃତି ବିଭାଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗଜପତି ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବ୍ଲକ୍‌ର ବିଡିଓ କାର୍ଯ୍ୟାଳୟକୁ ଏକାଧିକ ଥର ଲିଖିତ ଅଭିଯୋଗ ଜଣାଇଥିବା ସତ୍ୱେ ଏହାର ସଂଶୋଧନ ହୋଇନଥିବା ଅଭିଯୋଗ ହେଉଛି।ଗ୍ରାମର ନାମ କେବଳ ଏକ ଭୌଗୋଳିକ ପରିଚୟ ନୁହେଁ ବରଂ ଏହା ସହିତ ସେହି ଅଞ୍ଚଳର ଇତିହାସ, ଲୋକକଥା, ପରମ୍ପରା, ଭାଷାଗତ ବିଶେଷତା ଓ ପିଢ଼ି ପରେ ପିଢ଼ିର ସାଂସ୍କୃତିକ ସ୍ମୃତି ଜଡ଼ିତ ହୋଇ ରହିଥାଏ। ତେଣୁ ଗ୍ରାମଗୁଡ଼ିକର ମୂଳ ନାମ ଓ ଉଚ୍ଚାରଣକୁ ଅବହେଳା କରିବା ଦ୍ୱାରା ସ୍ଥାନୀୟ ଐତିହ୍ୟ ଓ ପରିଚୟ ପ୍ରଭାବିତ ହେବାର ଆଶଙ୍କା ରହିଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମର ପାରମ୍ପରିକ ନାମ, ସରକାରୀ ରେକର୍ଡରେ ଥିବା ନାମ ଏବଂ ପ୍ରଚଳିତ ନାମ ମଧ୍ୟରେ ଥିବା ପାର୍ଥକ୍ୟର ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ମୂଳ ନାମର ପୁନଃସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।

ଆଜି ଯଦି ଆମେ ନିଜ ଗ୍ରାମର ନାମ, ଇତିହାସ ଓ ପରିଚୟର ସୁରକ୍ଷା ପ୍ରତି ସଚେତନ ନହେବା, ତେବେ ଆଗାମୀ ପିଢ଼ି ନିଜ ଅଞ୍ଚଳର ଐତିହାସିକ ଓ ସାଂସ୍କୃତିକ ମୂଳକୁ କିପରି ଜାଣିପାରିବେ ବୋଲି ପ୍ରଶ୍ନ ଉଠିଛି।ତେଣୁ ସମୟ ଥାଉ ଥାଉ ଜିଲ୍ଲା ପ୍ରଶାସନ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରି ଏକ ସ୍ୱତନ୍ତ୍ର ଯାଞ୍ଚ ଓ ସର୍ବେକ୍ଷଣ କରିବା ସହ ଗଜପତି ଜିଲ୍ଲାର ଗ୍ରାମଗୁଡ଼ିକର ମୂଳ ନାମ, ଐତିହ୍ୟ ଓ ସ୍ଥାନୀୟ ସାଂସ୍କୃତିକ ପରିଚୟର ସୁରକ୍ଷା ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ବିଶେଷ କରି କାଶୀନଗର ଏବଂ ଗୋଷାଣି ବ୍ଲକର ଅଧିକାଂଶ ଗ୍ରାମଗୁଡିକର ନାମ ଅପଭ୍ରଂଶ ହୋଇଥିବା ନଜରକୁ ଆସିଛି।

ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଗ୍ରାମ ଗୁଡିକର ପ୍ରକୃତ ନାମ ଲିପିବଦ୍ଧ କରିବା ଆମ ସଂସ୍କୃତିର ପୁନଃରୁଦ୍ଧାର ନିମନ୍ତେ ଜନସାଧାରଣ ଦାବି ଜଣାଇଛନ୍ତି।