*ଅସହାୟ ନାବାଳିକାଙ୍କୁ ଉଦ୍ଧାର କଲେ ସମାଜସେବୀ* ।
ଗଜପତି,୧୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ପାରଳାଖେମୁଣ୍ଡି ସଦରମହକୁମା ପୌର ପରିଷଦ ଅନ୍ତର୍ଗତ ବେବର୍ତ୍ତା ସାହିରୁ ଜଣେ ଅସହାୟ ନାବାଳିକା ଝିଅକୁ ଉଦ୍ଧାର କରି ସମାଜସେବୀ ଜସ୍ମିନ୍ ଶେଖ ମାନବିକତାର ପରିଚୟ ଦେଇଛନ୍ତି।ସ୍ଥାନୀୟ ବାସିନ୍ଦା ଜଣେ ଅସହାୟ ନାବାଳିକାକୁ ଦେଖି ବ୍ୟସ୍ତ ହେବା ସହ ସମାଜସେବୀ ଜସ୍ମିନ୍ ଶେଖଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଜସ୍ମିନ୍ ଶେଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡଲାଇନ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସୁନିତା ରଥ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ଜସ୍ମିନ୍ ଶେଖଙ୍କ ସହଯୋଗରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇଥିଲେ। ସେଠାରେ ତାଙ୍କର ସୁରକ୍ଷା ଓ ଆବଶ୍ୟକୀୟ ଯତ୍ନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।
ସୂଚନା ଯୋଗ୍ୟ ଯେ ନାବାଳିକାଙ୍କୁ ତାଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ପଚରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଫଳରେ ତାଙ୍କ ପରିଚୟ ଓ ପରିବାର ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।
