World Pakhala Day: ଆଜି ବିଶ୍ବ ପଖାଳ ଦିବସ, ଗରିବର ସାଥୀ ଠାରୁ ଜଗନ୍ନାଥଙ୍କ ଭୋଗ ପର୍ଯ୍ୟନ୍ତ: ପଖାଳ ସବୁଠି ପ୍ରିୟ!

ପଖାଳ ଭାତ ନାଁ ଶୁଣିଲେ, ନାକଟେକି ଆସୁଥବା ଓଡିଆଙ୍କ ମଧ୍ୟରୁ ଅନେକ ହୁଏତ ବାସିପଖାଳ ଆମ ଦେହକୁ ହିତ ବୋଲି କୋଉଠି ପଢିଥିବେ ଅବା ଶୁଣିଥିବେ ସିନା, ପରତେ ଯାଇ ନଥିବେ I ଓଡିଆମାନେ ପଖାଳ ଖାଉଥିବା କାରଣରୁ ନିଦ୍ରାଳୁ ଓ ଅଳସୁଆ ଏବଂ ଏହି କାରଣରୁ ଅପେକ୍ଷାକୃତ ପଛୁଆ ବୋଲି ପଖାଳ ବିରୋଧରେ ଅପନିନ୍ଦାଟିଏ ରହିଛି I ସେଇଥିପାଇଁ ଅନେକେ ପଖାଳ ଖାଇବାକୁ ନାକ ଟେକନ୍ତି I ଦହଡ଼ ଦହଡ଼ ବାମ୍ଫ ଉଠା ତବତ ଭାତ ସାଥିରେ ଡାଲି, ତରକାରୀ ସହିତ ନାନାଦି ଅଧୁନିକ ତଥା ପାରମ୍ପରିକ ଆମିଷ ଓ ନିରାମିଷ ବ୍ୟଞ୍ଜନର ପ୍ରଦର୍ଶନୀ ଚାଲିଥିଲା ବେଳେ, ନିରିମାଖୀ ପଖାଳ ଭାତ ମନମାରି ବସିବା ତ ସ୍ବାଭାବିକ ! ଗରିବ, ଖଟିଖିଆ, ଅଭାବୀ ଲୋକ ପଖାଳ ଖାଇ ଭୋକ ମାରନ୍ତି ବୋଲି ଏକ ଧାରଣା ଅଛି ଅନେକଙ୍କର I ପଖାଳ ସହ ତୋରାଣୀ ରହୁଥିବା କାରଣରୁ, ଜଳବାହିତ ରୋଗ ସଂକ୍ରମଣ ଡର ଏବଂ ଚାମଚ ବଦଳରେ ହାତରେ ଖାଇବାକୁ ନ୍ୟୁନ ଭାବୁଥିବା ନବ୍ୟସଭ୍ୟ ଓଡିଆ ପଖାଳକୁ ନାକ ଟେକୁଥିବାର ଦେଖାଯାଏ I ତେବେ, ସାମାଜିକ ଗଣମାଧ୍ୟମ କିଛିବର୍ଷ ହେଲାଣି, ପଖାଳ ପାଇଁ ଫେରାଇ ଆଣିଛି ହୃତ ସୌଭାଗ୍ୟ I ଆଜିକାଲି, ନିଜର ବଡିମା ପ୍ରଦର୍ଶନ କରିବାକୁ ସମ୍ପନ୍ନ ଓଡିଆ ପରିବାର ଆଗେଇ ଆସିଲେଣି I ସେମାନେ କଂସା ବେଲାରେ ପଖାଳ ସାଙ୍ଗକୁ ଥାଳିଆ, ଗିନାରେ ନାନାଦି ବ୍ୟଞ୍ଜନ ଖାଇ ଫେସବୁକ୍, ଏକ୍ସ ଇତ୍ୟାଦିରେ ଫଟୋ ଛାଡିବାକୁ ପସନ୍ଦ କରୁଛନ୍ତି I

ସକାଳ ଜଳଖିଆରେ ସଦ୍ୟପ୍ରସ୍ତୁତ ଦକ୍ଷିଣ ଭାରତୀୟ କିମ୍ବା ବିଦେଶୀ ଖାଦ୍ୟ ଅପେକ୍ଷା ବାସିରୁଟି ଖାଇବା ଅଧିକ ସ୍ବାସ୍ଥ୍ୟକର ବୋଲି ବୈଜ୍ଞାନିକମାନେ କହିଲାପରେ, ଆମର ଦୃଷ୍ଟିଭଙ୍ଗିରେ କିଛି ପରିବର୍ତ୍ତନ ଆସିଛି I ୧୨ ରୁ ୧୫ ଘଣ୍ଟା ଯାଏଁ ରୁଟି ଖାଦ୍ୟ ଉପଯୋଗୀ ରହିପାରେ I ରୁଟି ତିଆରି ହେବାର ୮-୧୦ ଘଣ୍ଟା ପରେ ସାଇତି ରଖାଯାଇଥିବା ବାସିରୁଟିରେ, ଉଚ୍ଚ ରକ୍ତଚାପ ନିୟନ୍ତ୍ରକ ତତ୍ତ୍ବ ସୃଷ୍ଟି କରନ୍ତି କିଛି ବ୍ୟାକ୍ଟରିଆ I ବାୟୁଦୋଷ, ଅମ୍ଳ ଦୋଷ ଓ କୋଷ୍ଠକାଠିନ୍ୟ ହେବାକୁ ଦିଏନା ବାସିରୁଟି ଜଳଖିଆ I ବାସିପଖାଳର ଜୟଗାନ କରିବା ପୂର୍ବରୁ ମଙ୍ଗଳାଚରଣରେ ବାସିରୁଟିର ବନ୍ଦନା କରିବା ବୋଧହୁଏ ଭୁଲ ହେବନାହିଁ I ତେବେ, ଏତିକି ବେଳେ, ପଖାଳକୁ ନେଇ ରହିଥିବା ଅସଂଖ୍ୟ ଢଗଢମାଳି ମଧ୍ୟରୁ ଦୁଇଟି ଓଡିଆ ଢଗ ଉଲ୍ଲେଖ କରିବାର ଲୋଭ ସମ୍ବରଣ କରି ପାରୁନାହିଁ I ଗୋଟିଏ ହେଲା: “ମଦରଙ୍ଗା ଶାଗ ରାଇ; ପଖାଳ ଭାତକୁ ଚିଲିକା ଶୁଖୁଆ, ମାଣିକପାଟଣା ଦହି” ଏବଂ ଆରଟି ହେଲା: “ଦୁଇ ମାଇପର ଘଇତା; ତବତ ଖାଇବୁ କି ପଖାଳ, ବେଳ ଥାଉ ଥାଉ କହିଥା!” ଅଗଣିତ ଲୋକ ଗୀତ ଏବଂ ଢଗ ମଧ୍ୟରୁ କିଛି ଉଦାହରଣ ଦେଲୁ, ଯେଉଁଥିରୁ ପଖାଳଭାତ ସହିତ କିଛି ପାରମ୍ପରିକ ବ୍ୟଞ୍ଜନର ବର୍ଣ୍ଣନା ସହିତ ଗରମ (ଉତ୍ତପ୍ତ ବା ତବତ) ଭାତ ଏବଂ ପଖାଳଭାତ ବିଷୟରେ ସୂଚନା ମିଳିଥାଏ I  

ଏବେ ଆସନ୍ତୁ, ବିଜ୍ଞାନ ଦୃଷ୍ଟିରୁ ବାସିପଖାଳ କଥା ଆଲୋଚନା କରିବା I ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ରକ୍ତଶର୍କରା ମାନକ କଥା ଅନେକେ ଶୁଣିଥିବେ I ଭାତ ମୁଖ୍ୟତଃ ଏକ ଶ୍ବେତସାର ଜାତୀୟ ଖାଦ୍ୟ I କେଉଁ ଶ୍ବେତସାର ଯୁକ୍ତ ଖାଦ୍ୟ, ଗ୍ଲୁକୋଜ୍ ତୁଳନାରେ କେତେ ଶୀଘ୍ର ରକ୍ତ ଶର୍କରା ସ୍ତର ବୃଦ୍ଧି କରିପାରେ, ତାହା ଉପରେ ଆଧାର କରି ୦ (ଶୂନ୍ୟ)ରୁ ୧୦୦ ପର୍ଯ୍ୟନ୍ତ ମାପ କରାଯାଇଛି। ଯେଉଁ ଖାଦ୍ୟର ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ)୫୫ରୁ ଉଣା ଥାଏ, ତାହାକୁ ସ୍ବଳ୍ପ-ଜିଆଇ ଖାଦ୍ୟ କୁହାଯାଏ I ଏହା ଧୀରେ ଧୀରେ ହଜମ ହୁଏ ଏବଂ ଆମକୁ ସ୍ଥିର ଶକ୍ତି ପ୍ରଦାନ କରେ I ଯେଉଁ ଖାଦ୍ୟର ଉଚ୍ଚ- ଜିଆଇ, ଅର୍ଥାତ୍ ୭୦ ରୁ ଅଧିକ ଥାଏ, ତାହା ଦ୍ରୁତ ଗତିରେ ହଜମ ହୋଇ ରକ୍ତରେ ମିଶିଥାଏ I ଏହା ତୁରନ୍ତ ରକ୍ତ ଶର୍କରା ସ୍ତର ବୃଦ୍ଧି କରିପାରେ I ଫଳରେ ମଧୁମେହ ପରିଚାଳନା ଅସ୍ଥିର ହୁଏ ଏବଂ ଓଜନ ବଢାଇଥାଏ I ସବୁଜ ପନିପରିବା, ଅଧିକାଂଶ ଫଳ, ମସୁର ଡାଲି, ବାଦାମ, ବିହନ, ଦହି ଇତ୍ୟାଦିକୁ ସ୍ବଳ୍ପ-ଜିଆଇ, ମିଠା ମକା, କଦଳୀ, କଞ୍ଚା ପଣସ (କଠା), ଓଟ୍ସ, ମଲ୍ଟିଗ୍ରେନ୍ ଅଟାରୁଟି ଇତ୍ୟାଦିକୁ ମଧ୍ୟମ-ଜିଆଇ, ଧଳା ଅରୁଆ ଭାତ, ଧଳା ରୁଟି, ଆଳୁ, ଚିନିଯୁକ୍ତ ଖାଦ୍ୟ ଇତ୍ୟାଦିକୁ ଉଚ୍ଚ-ଜିଆଇ ଖାଦ୍ୟଭାବେ ବର୍ଗୀକରଣ କରାଯାଇଛି I

ଉଷୁନା ହେଉ ବା ଅରୁଆ, ଚାଉଳର ବ୍ୟବହାର ଯେଉଁଠି, ପଖାଳ ଅଛି ସେଇଠି I ଧାନ’ର ଆଦ୍ୟ ଜନ୍ମଭୂମି ଓଡିଶାରେ ପ୍ରାୟ ୨୫୦୦ ବର୍ଷ ପୂର୍ବରୁ ପଖାଳ ରାଜୁତି କରି ଆସିଛି I ଭାରତର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ନାନାଦି ରୂପ-ରଙ୍ଗ-ରସରେ ପଖାଳର ଆଦୃତି ରହିଛି I କିନ୍ତୁ, ଆମ ଓଡିଶାର ବାସି ପଖାଳ, ସାଙ୍ଗ-ପାଗ-ପଙ୍ଗତ ସହିତ କେହି ସରି ହେବେନି I ପଖାଳ ଥିଲା ଓଡିଆଙ୍କ ପରିଚୟ; ଆଜି ରହିଛି ଏବଂ ଆଗକୁ ରହିବ ମଧ୍ୟ I ଆମର ସମୃଦ୍ଧ ଭାଷା, ନୃତ୍ୟ ଓ ସଙ୍ଗୀତ ପରି ପଖାଳ ବି ଶାସ୍ତ୍ରୀୟ ଭୋଜନ; ଯାହା ଆମର ସ୍ପର୍ଦ୍ଧିତ ଐତିହ୍ୟ I ପୋଷକ ତତ୍ତ୍ବବିତ ଏବଂ ଚିକିତ୍ସା ବିଜ୍ଞାନ ବୈଜ୍ଞାନିକମାନେ ପଖାଳର କରିଛନ୍ତି ଭୂରିଭୂରି ପ୍ରଶଂସା I ସେଇଥିପାଇଁ ତ ଆମର ପରିଚୟ ଆମେ ପୁନଃ ଆବିଷ୍କାର କରୁଛେ ପଖାଳ କଂସା ଭିତରେ I ପଖାଳ ଏବେ ମହିମା ମଣ୍ଡିତ I ପଖାଳକୁ ନେଇ ନୂଆ ପରିଚୟ ଆମର I 

ଦିନକୁ ଥରେମାତ୍ର ରାତିରେ ଭାତ ରାନ୍ଧି, ଥଣ୍ଡା ହେଲାପରେ ଭାତହାଣ୍ଡିରେ ପରିଷ୍କାର ପାଣି ଦେଇ ରୋଷେଇ ଘରେ ରଖିଦେଲେ, ସକାଳକୁ ପ୍ରସ୍ତୁତ ହୋଇଯାଏ ସାମାନ୍ୟ ଆମ୍ବିଳା ଲାଗୁଥିବା ଗୋଟି ଗୋଟି ଭାତ; ଯାହାକୁ ପାଟିରେ ଦେଲେ ଲାଗୁଥିବ ନରମ ଓ ମୁଲାୟମ୍ I ଫେନିଳ ତୋରାଣି ଭିତରେ ଉବୁଟୁବୁ ବାସି ପଖାଳ I ଆମ୍ବିଳା ଲାଗୁନଥିଲେ, ଥଣ୍ଡା ଭାତରେ ପାଣି ଦେଲାବେଳେ, ମିଶାଇବାକୁ ପଡେ, ଗିନାଏ ପୂର୍ବଦିନର ବାସି ତୋରାଣି – ଯାହାକୁ କୁହାଯାଏ ମହି ବା ଷ୍ଟାର୍ଟର I ବାସ୍, ସଜଭାତ’ର ବାସିହେବା ପ୍ରକ୍ରିୟା ବା ଫର୍ମେଣ୍ଟେସନ ଆରମ୍ଭ ହୋଇଯାଏ I ମହିରେ ଥିବା ବ୍ୟାକ୍ଟରିଆମାନେ, ଲ୍ୟାକ୍ଟିକ ଅମ୍ଳ ପ୍ରସ୍ତୁତ କରି ପଖାଳକୁ କରିଦିଅନ୍ତି ଆମ୍ବିଳା, ମଧୁର, ସୁଗନ୍ଧିତ ଓଡିଆ ମନଲୋଭା ଖାଦ୍ୟ I ଭାତରେ ଥିବା ଅନେକ ଦୁଷ୍ପ୍ରାପ୍ୟ ଖଣିଜ ଲବଣ ସମେତ ଲୌହ, ପଟାସିୟମ୍ ଓ କ୍ୟାଲସିୟମ୍ ଆଦି ଏହି ବ୍ୟାକ୍ଟରିଆଙ୍କ ଚମତ୍କାରିତା କାରଣରୁ ଆମ ଦେହରେ ଲାଗେ, ଅର୍ଥାତ୍ ମଣିଷ ଶରୀର ପାଇଁ ପୁଷ୍ଟିସାଧକ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ I ଗରମ ଭାତରେ ଯେତିକି ପରିମାଣର ଲୌହ ଲବଣ ଥାଏ, ସେହି ଭାତକୁ ବାସି ପଖାଳ କରିଦେଲେ, ତାହାର ପରିମାଣ ୨୦୭୩ ଗୁଣ ବଢ଼ିଯାଇ ଥାଏ I ଏହା ଶୁଣିଲେ, କେହି ବି ଅବିଶ୍ବାସ କରିପାରନ୍ତି; ହେଲେ, କଥାଟି ବିଜ୍ଞାନ ଦୃଷ୍ଟିରେ ସତ୍ୟ I 

ଆଗରୁ ରକ୍ତଶର୍କରା ମାନକ (ଜିଆଇ) କଥା କହୁଥିଲୁ I ଗ୍ଲୁକୋଜର ଜିଆଇ ୧୦୦ ଥିଲାବେଳେ, ଫ୍ରୁକ୍ଟୋଜ୍’ର – ୨୩, ଅରୁଆ ଭାତ’ର – ୭୦ ରୁ ୯୦, ଉଷୁନା ଭାତ’ର – ୩୮ରୁ୫୦ ଥାଏ I ଆପଣମାନେ ଅବିଶ୍ବାସ ମନେ ହେଲେ ବି କଥାଟି ସତ ଯେ, ବାସି ପଖାଳ ଭାତ’ର ଜିଆଇ ୩୫ ଅଙ୍କକୁ ଖସିଯାଏ I ଏଥିପାଇଁ ଉଷୁନା ଭାତର ବାସି ପଖାଳ ଖାଇଲେ, ଭୋକ ମରେ, ପୁଷ୍ଟି ସାଧନ ହୁଏ ଏବଂ ଦୀର୍ଘ ସମୟ ପାଇଁ ଶକ୍ତି ମିଳେ I

ବାସି ପଖାଳ ଦିଏ ଶରୀରକୁ ଶକ୍ତି, ପୋଷଣ ଓ ଥଣ୍ଡା ରଖିବାର ଯାଦୁକାରୀ ମନ୍ତ୍ର I ସାରାଦିନ ଖରାରେ କାମ କଲେବି ଦେହ-ମନକୁ ଶାନ୍ତ ଓ ସୁଶୀତଳ ରଖିବାର ଅମୋଘ ଔଷଧ ବାସି ପଖାଳ I ସକାଳ ଜଳଖିଆରେ ପଖାଳ ଖାଇବାର ବିକଳ୍ପ ନାହିଁ I ଏଥିରେ ରହିଥାଏ ଖାଦ୍ୟପ୍ରାଣ ଘ-୬ ଓ ଘ-୧୨; ଯାହା ସାଧାରଣତଃ ଦୁଷ୍ପ୍ରାପ୍ୟ I କୌଣସି ନିରାମିଷ ଖାଦ୍ୟରୁ ଏହି ଦୁଇ ଖାଦ୍ୟପ୍ରାଣ ମିଳେନା I ପେଟରେ ଗଣ୍ଡାଏ ପଖାଳ ପଡିଗଲେ, ବ୍ୟାକ୍ଟରିଆଙ୍କ ଦୟାରୁ ହଜମ ଶକ୍ତି, ରୋଗ ପ୍ରତିରୋଧକ ଶକ୍ତି ଓ ସୁସ୍ଥ ରହିବାର ରହସ୍ୟମୟ ଶକ୍ତି ବୃଦ୍ଧି ପାଏ I ହୃତପିଣ୍ଡ, କଲିଜା ବା ଯକୃତ, ଫୁସ୍ ଫୁସ୍, ବୃକକ୍ ଇତ୍ୟାଦି ଅଙ୍ଗକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିବାର ଚମତ୍କାରିତା ରହିଛି ପଖାଳ ଭାତରେ I ଏହା ଅସ୍ଥି ଓ ମାଂସପେଶୀକୁ ସଶକ୍ତ ରଖି, ବୟସ ବୃଦ୍ଧି ପ୍ରକ୍ରିୟାକୁ ମନ୍ଥର କରିପାରେ ଏବଂ ଦେଇଥାଏ ତାରୁଣ୍ୟର ଝଲକ I ପଖାଳ ଖାଇଲେ ନିଦ ଲାଗିବା ଅପବାଦଟି ନିରୁତା ମିଛ I ଯେମିତି ଓଡିଆ ଏକ ଭାଷା ନୁହେଁ ବୋଲି କିଛି କହୁଥିଲେ ! ବରଂ ପେଟର ଗୋଳମାଳ ଦୂରକରି ପରିଷ୍କାର ରଖୁଥିବାରୁ ଆଳସ୍ୟ ବଦଳରେ ଆମେ ଅଧିକ ଚଳଚଞ୍ଚଳ ରହୁ I ରକ୍ତଚାପ ନିୟନ୍ତ୍ରଣରେ ରହୁଥିବାରୁ ସାରାଦିନ ବ୍ୟସ୍ତ ରହିଲେ ବି ଆମେ ଦୁର୍ବଳ ଅନୁଭବ କରୁନା I ସମସ୍ତ ପ୍ରକାର ତ୍ବଚା ସମ୍ବନ୍ଧିତ ବିଲକ୍ଷଣ ଦୂରହୁଏ I ସଦା ଯୌବନ ତଥା ତାରୁଣ୍ୟ ଉପଭୋଗ କରିବା ପାଇଁ ପଖାଳଭାତ ଏକ ବରଦାନ I ସେଇଥି ପାଇଁ ତ ଶ୍ରୀ ଜଗନ୍ନାଥଙ୍କ ଛପନଭୋଗ ମଧ୍ୟରେ ପଖାଳ ସ୍ଥାନିତ I ପଖାଳ ଏକ ସଶ୍ରଦ୍ଧ ଉଚ୍ଚାରଣ, ଓଡିଆଙ୍କର ସ୍ପର୍ଦ୍ଧିତ ପରିଚୟ I

କେବେ ସିନା, ପଖାଳ ସହ ଚିଲିକା ଶୁଖୁଆ ଥିଲା ପାରମ୍ପରିକ ସାଥି, ଏବେ କିନ୍ତୁ ଆମେ ପଖାଳ ସହିତ ବଡି ଚୁରା, ଚୁନା ଓ ବଡମାଛ, ପରିବାପତ୍ର ଓ ଛତୁ ଇତ୍ୟାଦିରୁ ପ୍ରସ୍ତୁତ ନାନାଦି ବ୍ୟଞ୍ଜନକୁ ନୂଆ ସାଥି କରିନେଲୁଣି I ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆମେ କଂସାଏ ବାସି ପଖାଳ ସାଥିରେ ପୁଞ୍ଜାଏ ଦେଶୀ ପିଆଜ କିମ୍ବା ଗୋଟିଏ ଉଲି ପିଆଜକୁ ତେନ୍ତୁଳି, ଆମ୍ବୁଲ ସାଥିରେ ଖାଇବାକୁ ଉପଦେଶ ଦିଆଯାଉଛି I ଥରେ ବାସି ପଖାଳ ସହ ପିଆଜ, କାକୁଡି, ତେନ୍ତୁଳି ପାଗ ଖାଇ ଦେଖନ୍ତୁ, ଖରାଦିନେ ଶରୀରରେ ବାତାନୁକୂଳିତ ଯନ୍ତ୍ର ଚାଲୁଥିବା ପରି ଅନୁଭବ କରିବେ I ଯଦି ସୁବିଧା ଅଛି, ଗିନାଏ ବସାଦହି ପଖାଳରେ ମିଶେଇଦେଲେ, ଆସର ଜମିଯିବ I ପଖାଳ ବର ହେଲେ, କାକୁଡି, ଲେମ୍ବୁ, ପୁଦିନା ପତ୍ର, ଆମ୍ବକଷିଆ ଅଦା, ଡେମ୍ଫଲଗା କଷି ଆମ୍ବ, କଞ୍ଚା ଲଙ୍କା ହେଲେ ବରଯାତ୍ରୀ ଭଳି I

କେହି ବାସି କହିଦେଲେ, ଆମେ ସ୍ବାସ୍ଥ୍ୟ ସଚେତନ ହୋଇଯାଉ I ‘ଫିମ୍ପି’ମାରି ଯାଇଥିବା ଖାଦ୍ୟ ଆଉ ଗୋଟିଏ ଦିନର ବାସି ପଖାଳ ସମାନ ନୁହେଁ I ନିୟନ୍ତ୍ରିତ ବ୍ୟବସ୍ଥା ଭିତରେ ବାସି ପଖାଳ ପ୍ରସ୍ତୁତି ଏକ ବିଜ୍ଞାନ ସମ୍ମତ ପାକକଳାI ଆଜିକାଲି ତ ତାରକା ହୋଟେଲ ଓ ନାମୀ ରେସ୍ତାରୋଂମାନଙ୍କରେ କଂସା ବାସନରେ ପରଷା ହେଉଛି ପଖାଳ I

ଏବେ, ପଖାଳ ଓ ତୋରାଣିକୁ ନେଇ ଏକ ରୋଚକ ଗଳ୍ପ ଉପସ୍ଥାପନ କରିବା I କ୍ଷୌରକର୍ମ ଚାଲିଥିବା ବେଳେ ନିଶରୁ କିଛି ଅଂଶ କଟିଯିବାରୁ ରାଜାଙ୍କୁ ସମ୍ପୂର୍ଣ୍ଣ ରାଜକୀୟ ନିଶହଳକ ହରାଇବାର ଦୁଃଖଦ-ନିଷ୍ପତ୍ତି ନେବାକୁ ପଡିଲା I ନିଶବିହୀନ ରାଜାଙ୍କ ରାଜ୍ୟରେ ପ୍ରଜାମାନେ ଅବା କିପରି ନିଶ ରଖିପାରନ୍ତେ ! ଡେଙ୍ଗୁରା ଦେଇ ସମସ୍ତଙ୍କୁ ନିଶ କାଟିବାକୁ କୁହାଗଲା I ଅମାନିଆଙ୍କୁ ଧରିନେଇ ବଳପୂର୍ବକ ସେମାନଙ୍କୁ ନିଶମୁକ୍ତ କରାଗଲା I ଦୁଇ ଦିନରେ ଜଣେ ବି ନିଶୁଆ ପ୍ରଜା ରହିଲେନି I କିନ୍ତୁ ଜଣେ କଣ୍ଟିଆ ନିଶଧାରୀ ଯୁବକ ନିଜର ନିଶ କାଟୁ ନଥିବାରୁ, କଟୁଆଳ ତାକୁ ଧରିନେଇ ରାଜଦରବାରରେ ହାଜର କଲେ I ହାତଯୋଡି ଯୁବକଟି ନେହୁରା ହୋଇ କହିଲା, “ଛାମୁଙ୍କର ନିଶ ଜଗତଜିଣା, ମୋ ନିଶ ପରା ତୋରାଣି ଛଣା !“ ଯୁବକଟିର କଣ୍ଟିଆ ନିଶ ପଖାଳ ହାଣ୍ଡିରେ ଭାସମାନ ପଦାର୍ଥକୁ ଛାଣିବାରେ ବ୍ୟବହୃତ ହେଉଥିବାରୁ, ତାକୁ ଦଣ୍ଡରୁ ମୁକ୍ତି ମିଳିଥିଲା I ଏଥିରୁ ଓଡିଶାର ଲୋକଗଳ୍ପ ଓ ଲୋକଗୀତରେ ପଖାଳର ମହତ୍ବ ଜଣାଯାଏ I

ଦିନେ ପାନ ବଟୁଆ ଥିଲା ଓଡ଼ିଆର ପରିଚୟ; ଯାହା କ୍ରମଶଃ ହଜି ଯାଉଛି I ସେତେବେଳେ, ପଖାଳ ଯେଭଳି ଥିଲା ଓଡ଼ିଆର ପରିଚୟ, ସେଭଳି ଆଜି ବି ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ସ୍ପର୍ଦ୍ଧିତ ପରିଚୟ ହୋଇ ରହିଥିବ I ମାର୍ଚ୍ଚ ୨୦ ତାରିଖ ବିଶ୍ବ ପଖାଳ ଦିବସ ଉପଲକ୍ଷେ ବିଶ୍ବବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇବା ସହିତ ପଖାଳ ଭାତକୁ ଗୋଟିଏ ଦିନର ଉତ୍ସବ ଭାବେ ପାଳନ ନକରି ନିତିଦିନିଆ ଖାଦ୍ୟାଭ୍ୟାସରେ ପରିଣତ କରିବା ସହିତ ଘରଚଟିଆ ପକ୍ଷୀମାନଙ୍କୁ ମନେ ପକାଇବା ପାଇଁ ନିବେଦନ କରିବୁ; କାହିଁକି ନା ଏହି ଦିବସଟି ମଧ୍ୟ ବିଶ୍ବ ଘରଚଟିଆ ଦିବସ I ବିଶ୍ବର ପରିବେଶ ଅସୁସ୍ଥ ହୋଇ ପଡୁଥିବାରୁ ଘରଚଟିଆ ପକ୍ଷୀ କ୍ରମଶଃ ବିଲୁପ୍ତ ହେଲେଣି ଏବଂ ଆମେ ପଖାଳ ଖାଉ ନଥିବାରୁ ମୋଟା ଓ ରୋଗା ହୋଇ ଗଲେଣି I