ସାଇକେଲରେ କାର୍ଯ୍ୟାଳୟକୁ ଯାଇ ଦୃଷ୍ଟାନ୍ତ ସୃଷ୍ଟି କଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ
ଭଦ୍ରକ ସହରରେ ଆଜି ଏକ ରୋଚକ ଏବଂ ପ୍ରେରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାଧାରଣ ଲୋକଙ୍କ ଭଳି ରାସ୍ତାରେ ସାଇକେଲ ଚଢ଼ି କାର୍ଯ୍ୟାଳୟକୁ ଯାଉଥିବା ଦେଖାଗଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ଜିଲ୍ଲାପାଳଙ୍କ ଏହି ସରଳ ଓ ପରିବେଶ-ବନ୍ଧୁ ପଦକ୍ଷେପ ସହରବାସୀଙ୍କ ମଧ୍ୟରେ ଖୁବ ଆଲୋଚନାର ବିଷୟ ହୋଇଥିଲା।ମୁହଁରେ ମାସ୍କ ପିନ୍ଧି, କୌଣସି ଆଡମ୍ବର ବିନା, ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ପହଞ୍ଚିଥିଲେ।
ରାସ୍ତାରେ ଚାଲୁଥିବା ଲୋକମାନେ ଓ ଯାନବାହନ ଚାଳକମାନେ ତାଙ୍କୁ ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନେକ ଲୋକ ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ଧରି ରଖିଥିଲେ।ସୂଚନାଯୋଗ୍ୟ ଯେ, ଏହା ପ୍ରଥମଥର ନୁହେଁ। ଆଜି ଦ୍ବିତୀୟଥର ପାଇଁ ଜିଲ୍ଲାପାଳଙ୍କୁ ସାଇକେଲରେ କାର୍ଯ୍ୟାଳୟକୁ ଆସୁଥିବା ଦେଖାଯାଇଛି। ପୂର୍ବରୁ ବିଶ୍ୱ ସାଇକେଲ ଦିବସ ଅବସରରେ ମଧ୍ୟ ସେ ଏଭଳି ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ସନ୍ଦେଶ ଦେଇଥିଲେ।
ଏନେଇ ଜିଲ୍ଲାପାଳ ଦିଲୀପ ରାଉତରାୟ କହିଛନ୍ତି ଯେ, ଆଜିର ଦିନରେ ପରିବେଶ ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି। ଅଧିକ ପରିମାଣରେ ଯାନବାହନ ବ୍ୟବହାର କରିବା ଫଳରେ ବାୟୁ ପ୍ରଦୂଷଣ ବଢ଼ୁଛି ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଛି। ସେ କହିଛନ୍ତି ଯେ ସାଇକେଲ ଚଳାଇଲେ ପରିବେଶ ସୁରକ୍ଷିତ ରହିବା ସହ ଶରୀର ମଧ୍ୟ ସୁସ୍ଥ ରହେ।ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଯେଉଁଦିନ ସୁବିଧା ହେବ ସେ ଦିନ ସାଇକେଲରେ କାର୍ଯ୍ୟାଳୟକୁ ଆସିବେ। ଏହା ଦ୍ୱାରା ଅନ୍ୟ ଅଧିକାରୀମାନେ ଓ ସାଧାରଣ ଲୋକ ମଧ୍ୟ ପ୍ରେରିତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସେ ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ସମ୍ଭବ ହେଲେ ସାଇକେଲରେ ଅଫିସ୍ ଆସିବାକୁ ଆହ୍ୱାନ ଜଣାଇଛନ୍ତି।ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସହରବାସୀ ଭୁରିଭୁରା ପ୍ରଶଂସା କରୁଛନ୍ତି। ଅନେକ ଲୋକ ଏହାକୁ ଏକ ସକାରାତ୍ମକ ବାର୍ତ୍ତା ଭାବେ ନେଇଛନ୍ତି। ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା ଓ ସରଳ ଜୀବନଶୈଳୀ ପାଇଁ ଜିଲ୍ଲାପାଳଙ୍କ ଏହି ପ୍ରୟାସ ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହେବ ବୋଲି ମତ ପ୍ରକାଶ ପାଉଛି।
