ଯୋଗାଣ ମନ୍ତ୍ରୀଙ୍କ ତତ୍ପରତା ପରେ ଗଜପତି ପ୍ରଶାସନ 2 କିମି ଜଙ୍ଗଲ ରାସ୍ତା ପାଦ ଚଲାରେ ଯାଇ ଦୁଃଖଙ୍କୁ ସହାୟତାର ପ୍ରତିଶୃତି ଦେଇ ଗ୍ରାମକୁ ଫେରାଇ ଆଣିଲେ ।
ଗଜପତି, 17/12(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ଗାଁର ଦୁଃଖ ନାୟକଙ୍କ ଦୁଃଖଦ କାହାଣୀ ନେଇ ଏକ ନିର୍ଦ୍ଧିଷ୍ଟ ଇଲଟ୍ରୋନିକ୍ସ ମିଡ଼ିଆରେ ପ୍ରସାର ହୋଇଥିଲା । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଖବର ପ୍ରସାରଣ ଦେଖିବା ପରେ ତପରତା ପ୍ରକାଶ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶ ଅନୁଯାୟୀ ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ଚକ୍ରଧର ପାଢ଼ୀ, ଯୋଗାଣ ଅଧିକାରୀ ସତ୍ୟ ନାରାୟଣ ଭୋଇ, ମେରାପଲ୍ଲୀ ସରପଞ୍ଚ ବ୍ରଜ ସୁନ୍ଦର ଜାନି, ପଞ୍ଚାୟତ ନିର୍ବାହୀ ଅଧୂକାରୀ ପି.ବାଲକୃଷ୍ଣ, ଜିଆରଏସ ଗେଲା ମଣି ପ୍ରଧାନ ଓ ଯୋଗାଣ ସହାୟକ ଏକତା ମଲ୍ଲିକ ଜଙ୍ଗଲରେ ଚାଲି ଚାଲି ଯାଇ ଦୁଃଖ ମଲ୍ଲିକଙ୍କ ପାଖରେ ପହଞ୍ଚିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ କିଛି ବର୍ଷ ତଳେ ଦୁଃଖ ମଲ୍ଲିକ ଗଜପତି ପ୍ରଶାସନ ତରଫରୁ କୌଣସି ସହାୟତା ପାଉ ନ ଥିବା ପ୍ରତିବାଦରେ ମେରାପଲ୍ଲୀ ଗ୍ରାମ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ. ଜଙ୍ଗଲ ମଧ୍ୟରେ ଦୁଃଖ ମଲ୍ଲିକ ଜଙ୍ଗଲଜାତ କନ୍ଦା ଓ ବିଭିନ୍ନ ଫଳ ଖାଇ ସମୟ ବିତାଉ ଥିଲେ. ବର୍ତ୍ତମାନ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ହସ୍ତକ୍ଷେପ ପରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ତରଫରୁ କହିବା ପରେ ଦୁଃଖ ମଲ୍ଲିକ ଗାଁକୁ ଫେରିଆସିଛନ୍ତି । ଗାଁକୁ ଆସିବା ପରେ ଦୁଃଖଙ୍କୁ କିଛି ଚାଉଳ ପ୍ରଦାନ କରାଯାଇଛି।
ଏଥିସହ ତହସିଲଦାର ନିଜ ଗାଡ଼ିରେ ଦୁଃଖଙ୍କୁ ବସାଇ ମୋହନା ଆଣି ନୂତନ ପୋଷାକ ଓ ଜୋତା ପ୍ରଦାନ କରିଛନ୍ତି । ଏଥିସହ ଗାଁରେ ଭାଙ୍ଗି ଯାଇଥିବା ଘରେ ରହିବା ପାଇଁ ଜରି ପାଲ ପ୍ରଦାନ କରାଯାଇଥିବା ତହସିଲଦାର ଚକ୍ରଧର ପାଢ଼ୀ କହିଛନ୍ତି । ଖୁବଶୀଘ୍ର ଦୁଃଖଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ରାଜୀବ ଦାସ କହିଛନ୍ତି । ଏହି ଘଟଣା ନେଇ ଗଜପତି ଜିଲ୍ଲା ଆଡିସନାଲ ସିଏସଓ ସୁହଂସ ଭୋଇ ଏବଂ ସବ୍ୟସାଚୀ ବସ୍ତିଆ ଆମ ଗଜପତି ଜିଲ୍ଲା ପ୍ରତିନିଧି ଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ସମ୍ପୃକ୍ତ ଦୁଃଖ ମଲ୍ଲିକଙ୍କ ଆଧାର କାର୍ଡ ହୋଇପାରିନାହିଁ । ସରକାରୀ ନିୟମ ଅନୁସାରେ ଆଧାରକାର୍ଡ ନଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ସୁବିଧା ଭତ୍ତା ଆଦି ମିଳେ ନାହିଁ। ତେଣୁ ଦୁଃଖ ମଲ୍ଲିକଙ୍କ ଆଧାରକାର୍ଡ ଅତି ଶୀଘ୍ର ପ୍ରଦାନ କରାଯିବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଦୁଃଖ ମଲ୍ଲିକଙ୍କ ଏହି ଆଧାରକାର୍ଡ ଆସିବା କ୍ଷଣି ଆମ ଯୋଗାଣ ବିଭାଗ ତରଫରୁ ସରକାରୀ ନିୟମ ଅନୁଯାୟୀ ଚାଉଳ ଯୋଗାଇ ଦିଆଯିବ। ସେହିପରି ଦୁଃଖ ମଲ୍ଲିକ ସରକାରଙ୍କ ଭତ୍ତା, ଆବାସ ଯୋଜନାରେ ଘର ଓ ବିଭିନ୍ନ ସୁବିଧା ସୁଯୋଗ ନିଶ୍ଚିତ ଭାବେ ପାଇପାରିବେ ।
