ମୋହନାରେ ସାର ବଣ୍ଟନରେ ଅନିୟମିତତା ଓ ଚଢ଼ା ଦରରେ ବିକ୍ରି ଅଭିଯୋଗ ।
ଆର,ଉଦୟଗିରି -( ମନୋଜ ପାଢୀ) ସାରା ଓଡ଼ିଶାରେ ଏବେ ସାର ସଙ୍କଟ l ସବୁଠି ଚାଷୀଙ୍କୁ ସଠିକ ଭାବେ ସାର ମିଳୁନଥିବା ଅଭିଯୋଗ ହୋଇଥିବା ବେଳେ ଆଜି ଗଜପତି ଜିଲ୍ଲା ମୋହନା ରେ ମଧ୍ୟ ସମାନ ଅଭିଯୋଗ ଆସିଛି l ମୋହନା ସମବାୟ ସମିତି କାର୍ଯ୍ୟାଳୟରେ ସାର ବଣ୍ଟନ ରେ ଅନିୟମିତତା ସହ ଚଢ଼ା ଦରରେ ସାର ଦିଆଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ l ସାର ପାଇଁ ଆଜି ସକାଳ 9 ଟାରୁ ମୋହନା ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଭିଡ଼ ଜମାଇଥିଲେ ଚାଷୀ l ପ୍ରଥମେ ପ୍ରଥମେ କିଛି ଚାଷୀ ଙ୍କୁ 10 ରୁ 15 ପ୍ୟାକେଟ ସାର ପ୍ରଦାନ କରିଥିଲେ ସମବାୟ ସମିତି ଅଧିକାରୀ l ଏହାପରେ ଅପରାହ୍ନ ଠାରୁ ଜଣେ ଚାଷୀଙ୍କୁ କେବଳ 2 ପ୍ୟାକେଟ ସାର ଦିଆଯିବ ବୋଲି କହିଥିଲେ ଅଧିକାରୀ l ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତେଜନା ଦେଖାଦେବା ସହ ପ୍ରଥମେ କାହିଁକି ଅଧିକା ପ୍ୟାକେଟ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ ଚାଷୀ l ଏଥିସହ ଅଣଚାଷୀଙ୍କୁ ମଧ୍ୟ ସାର ଦିଆଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ l ଅଭିଯୋଗ କୁ ନେଇ ଉତେଜିତ ହୋଇଯାଇଥିଲେ ସମବାୟ ସମିତିର ନିର୍ଦେଶିକା l ଏଥିସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦେଖି ଚିହିଁକି ଉଠିବା ସହ ସାମ୍ବାଦିକ ଙ୍କୁ କିଏ ଡାକିଲେ ବୋଲି ଚାଷୀ ମାନଙ୍କୁ ଧମକ ଦେଇଥିଲେ l ସାର ଦିଆଯିବ ନାହିଁ କହି କାର୍ଯ୍ୟାଳୟ ବନ୍ଦ କରିଦେଇ ବାହାରକୁ ଚାଲିଯାଇଥିଲେ ନିର୍ଦେଶିକା l ସରକାରୀ ଦର ଅନୁଯାୟୀ ସାର ପ୍ୟାକେଟ ପିଛା 266 ଟଙ୍କା ଥିବାବେଳେ ଚାଷୀ ଙ୍କ ଠାରୁ 350 ଟଙ୍କା ନିଆଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ l ଏନେଇ ସମବାୟ ସମିତି ନିର୍ଦେଶିକା କିଛି କହିବାକୁ ମନା କରିଦେଇଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ପରିଦର୍ଶକ କହିଛନ୍ତି l
