ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ୱାସ୍ଥ୍ୟ ସେବା ଶିବିର ।
ଗଜପତି -8/12/ମନୋଜ ପାଢୀ/ଶୀତ ଋତୁ ପ୍ରାରମ୍ଭରେ ଲୋକଙ୍କୁ ରୋଗମୁକ୍ତ ରଖିବା ଉଦ୍ଧେଶ୍ୟ ନେଇ ପାରଳାଖେମୁଣ୍ଡିସ୍ଥିତ ସମାଜସେବୀ କୁମାର ରେଡ୍ଡିଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ୟୁବାଜନ ସେବା ସମିତିର କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ତଥା ଶିବଶଙ୍କର ମେଡିକାଲ ଷ୍ଟୋରର ମିଳିତ ସହଯୋଗରେ ସ୍ଥାନୀୟ ପାରଳାଖେମୁଣ୍ଡି ମଡେଲ ଥାନା ନିକଟସ୍ଥ ଗୋଲା ସାହିରେ ଏକ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଏ. ଗୋପିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ମଡେଲ ଥାନାର ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଭୂପତି। ସକାଳ ୯ଘଟିକାରୁ ଦିବା ୨ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ଶିବ ଶଙ୍କର ମେଡିକାଲ ଷ୍ଟୋରର ପ୍ରମୁଖ ପି. ଗୁନୟା ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ଡ଼ଃ ପି. ମନୋହର ଓ ଡ଼ଃ ରୋଜାଲୀନ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା, ମଧୁମେୟ, ଥାଇରଏଡ଼ ତଥା ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗର ପରୀକ୍ଷା ନିରୀକ୍ଷା କରିବା ସହ ଉଚିତ ପରାମର୍ଶ ଦେଇଥିଲେ।ସେହିପରି ଏହି କାର୍ଯ୍ୟକ୍ରମର ପୂର୍ବଦିନ ଗୋସାଣୀ ବ୍ଲକ ଅନ୍ତର୍ଗତ ସାଇଲଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଅଖିଳ ଭାରତୀୟ ୟୁବାଜନ ସେବା ସମିତିର ସକ୍ରିୟ ସହଯୋଗରେ ତଥା ବ୍ରହ୍ମପୁରସ୍ଥିତ ଇଶ୍ରତ ନର୍ସିଂ ହୋମର ସହାୟତାରେ ଏକ ବିଶାଳ ମାଗଣା ଗ୍ଲୋକୁମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚିକିତ୍ସା ଶିବିରରେ ପ୍ରାୟ ୭୦ରୁ ଅଧିକ ବୃଦ୍ଧବୃଦ୍ଧା ଯୋଗ ଦେଇ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସେଥିମଧ୍ୟରୁ ୧୦ଜଣଙ୍କର ଚକ୍ଷୁ ଅସ୍ତ୍ରୋପଚାର ନିମନ୍ତେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ସଫଳ ଚିକିତ୍ସା କରାଇ ଫେରାଇ ଅଣାଯାଇଥିବାର ଖବର ମଧ୍ୟ ମିଳିଛି। ଏହି ଶିବିରରେ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ରେଡ୍ଡୀ ତଥା ଗାୟତ୍ରୀ ଶକ୍ତିପୀଠର ସମାଜସେବୀ ସନ୍ତୋଷ କୁମାର ଗନ୍ତାୟତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଆଗକୁ ମଧ୍ୟ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନଜରରେ ରଖି ଏହିଭଳି ସ୍ୱାସ୍ଥ୍ୟ ସେବା ଶିବିର କିଛି ଦିନ ବ୍ୟବଧାନରେ ବିଭିନ୍ନ ଅଞ୍ଚଳରେ କରାଯିବ ବୋଲି ସମାଜସେବୀ କୁମାର ରେଡ୍ଡୀ ସୂଚନା ଦେବା ସହ ସଙ୍ଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଯଥାର୍ଥ ସାହାଯ୍ୟ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଛନ୍ତି।