ପ୍ରୋତ୍ସାହନ ଅଭାବରୁ ହଜିଯାଇଛି ନଳିତା ଚାଷ : ଦୀପାବଳୀ ଅମାବାସ୍ୟା ଆସିଲେ ଖୋଜା ପଡେ କାଉଁରିଆ କାଠି ।
ଗଜପତି(ମନୋଜପାଢୀ ) – ବିବେକାନନ୍ଦ ବେହେରା : ଆଗକୁ ଆଲୋକର ପର୍ବ ଦିପାବଳୀ । ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ସହର ପର୍ଯ୍ୟନ୍ତ ପିଠା ପଣା କ୍ଷୀରି ଫଳ ମୂଳ ଦେଇ ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ । ଏକା ସଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାର ସହ ସାହି ପଡ଼ୋଶୀ ଓ ବନ୍ଧୁ ବାନ୍ଧବଙ୍କ ସହ ମିଳିମିଶି ଡ଼ାକନ୍ତି ବଡ଼ ବଡୁଆ ହୋ ଅନ୍ଧାରରେ ଆସ, ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର ହୋ ବୋଲି କହି କାଉଁରିଆ କାଠି ଲଗାଇ ପୂଜା କରିଥାନ୍ତି । କିନ୍ତୁ ଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ ଆଉ କାଉଁରିଆ କାଠ ମିଳୁନାହିଁ । କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁରେ ଚାଷୀ କରୁନାହାନ୍ତି । ସମସ୍ତେ ଧାନ ଓ ପରିବା ଚାଷ ପାଇଁ ମୁହାଁଉଛନ୍ତି । ଯେଉଁଥିପାଇଁ ଚଳିତ ଦୀପାବଳିରେ ଗାଁ ଗଣ୍ଡାରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ । 4 ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାକୁ 20 ରୁ 30 ଟଙ୍କାରେ ବିକ୍ରି ହେଉଛି । ନଦୀ ଉପକୂଳବର୍ତ୍ତୀ ଉପରୋକ୍ତ ଅଞ୍ଚଳରେ ପୂର୍ବରୁ ଚାଷୀ ମାନେ ନଳିତା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଚାଷୀ ମାନେ ଧାନ ଓ ପନିପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନଳିତା ଚାଷ ସମୟରେ ଚାଷୀ ମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନଥିବା ନେଇ ଚାଷୀ ମାନଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି । ନଳିତା ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ପୂର୍ବପରି ନଳିତା ଚାଷର ଆଦର ରହିବ ବୋଲି ବୁଦ୍ଧୀଜୀବି ମହଲରେ ମତ ପ୍ରକାଶ ପାଇଛି ।
