ପାନୀୟ ଜଳ ସଙ୍କଟକୁ ନେଇ ଗଜପତି ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ।
ଗଜପତି, 5/12(ଗଜପତି):ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବlଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖlରୀକୁଟି ଏବଂ ଢେପlଲାଜୁ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଦୁଇ ଗ୍ରାମବାସୀ ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଥିବାର ଜଣାପଡିଛି । ଉଭୟ ଗ୍ରାମରେ ପ୍ରାୟ ତିନି ଶହ ଲୋକ ବସବାସ କରୁଥିଲେ ସୁଦ୍ଧା ଏବେ ବି ଜଳ ସଂକଟ ଲାଗି ରହିଥିବାର ପ୍ରକାଶ କରିଛନ୍ତି l ଗ୍ରୀଷ୍ମ କାଳରେ ଏହି ଗ୍ରାମବାସୀମାନେ ଦୁଇ କିଲୋମିଟର ଅତିକ୍ରମ କରି ନାଳପାଣି ଆଣିବାକୁ ପଡିଥାଏ । ଏହି ନାଳପାଣି ପିଇବା ଦ୍ବାରା ନାନାଦି ସଂକ୍ରମଣ ରୋଗର ଶିକାର ହେବା ସହ ପାଣି ପାଇଁ ଡହଳବିକଳ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଲୋକେ । ଗ୍ରାମରେ ନଳକୂପ ଥିଲେ ସୁଦ୍ଧା ଲୌହଗନ୍ଧ ଯୁକ୍ତ ପାଣି ବାହାରୁଥିବାରୁ ଏହା ପାନୀୟ ଜଳ ଲାଗି ଉପଯୁକ୍ତ ନୁହେଁ । ଜଳ ସଙ୍କଟ ଦୂର ଲାଗି ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର କହିଛନ୍ତି । ଏନେଇ ଯୁବନେତା ତଥା ସମାଜସେବୀ ଅଭାନ ନାୟକ ଓ ଲକ୍ଷ୍ମଣ ମଲ୍ଲିକ କହିଛନ୍ତି ଯେ ଏହି ଗ୍ରାମ ଗୁଡିକରେ ସୌରଚାଳିତ ପମ୍ପ ଓ ମୋଟର ବ୍ୟବସ୍ଥା କରି ଜଳ ଯୋଗାଇଦେଲେ ଜଳକଷ୍ଟ ଦୂର ହେବ । ବର୍ତ୍ତମାନ ଆମେ ନିଜ ନିଜ ଉଦ୍ୟମରେ ନଳକୂପ ଗୁଡିକୁ ସଜାଡି ପାଣି ସଂଗ୍ରହ କରୁଛୁ । ଯାହାକି କିଛି ଦିନ ପରେ ପୁଣି ଏହି ନଳକୂପ ଗୁଡିକ ଭାଙ୍ଗିଯାଉଛି । ଫଳରେ ଯେଉଁ ଜଳକଷ୍ଟ ଅବସ୍ଥାକୁ ସେହି ଅବସ୍ଥା । ଏହାର ଗୋଟିଏ ମାତ୍ର ବିକଳ୍ପ ରହିଛି ଯେ ସୌରଚାଳିତ ପମ୍ପ ଓ ମୋଟର ସହ ଓଭର ହେଡ୍ ଟାଙ୍କି ସ୍ଥାପନ କଲେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନାଗାଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଭାରପ୍ରାପ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଥିବାର ଏହି ଦୁଇ ଗ୍ରାମାଞ୍ଚଳବାସୀ କହିଛନ୍ତି ।
