ଗଜପତିରେ ପୁଣି ଚାରିଟିକିଆ ଜଙ୍ଗଲୀ ହାତୀ ଆତଙ୍କ
ଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲାରେ ପୁଣି ଚାରିଟିକିଆ ଜଙ୍ଗଲୀ ହାତୀଙ୍କ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତର ଆଦାନଗୁଡ଼ା ଓ ଯାନିଗୁଡ଼ା ଆଖ ପାଖରେ ଚାରିଗୋଟି ଜଙ୍ଗଲୀ ହାତୀ ନିକଟସ୍ଥ ଜଙ୍ଗଲ ଓ ଆମ୍ବତୋଟା ଆଦିରେ ବୁଲୁଥିବା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଛି । ଏହି ଜଙ୍ଗଲୀ ଚାରିଟିକିଆ ହାତୀଗୁଡିକୁ ଦେଖିବା ପରେ ଗ୍ରାମବାସୀମାନେ ବନଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ବନଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ରାତି ସାରା ଜଗି ରହି ଆଖ ପାଖରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହିବା ସହ ହାତୀମାନଙ୍କୁ ରଗେଇବା ଭଳି କାର୍ଯ୍ୟକ୍ରମରୁ ଦୁରେଇ ରହିବା ପାଇଁ ଅନୁରୋଧ କରିଥିଲେ । ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲର ଏହି ଚାରିଟିକିଆ ହାତୀ ବୁଲୁଥିବା ଘଟଣା ପ୍ରଚାର ହେବା ପରେ ଗାଇବା ପଞ୍ଚାୟତ ଓ ପରିଡ଼ା ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ସମ୍ପୃକ୍ତ ଘଟଣା ନେଇ ରେଞ୍ଜ ଅଧିକାରୀ ବ୍ରହ୍ମନନ୍ଦ ସାହୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ସୂଚନା ପ୍ରଦାନ କରି କହିଛନ୍ତି । ଏହି ଚାରିଟିକିଆ ହାତୀପଲ ଗତ 40 ଦିନ ଧରି ଏହି ଅଞ୍ଚଳରେ ବିଚରଣ କରୁଛନ୍ତି । ଗତ 2 ଦିନ ହେଲା ଗଜପତିର କାଶୀନଗର ଓ ଗୁମ୍ମା ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଚରଣ କରୁଛନ୍ତି । ବନବିଭାଗ ତରଫରୁ ସମ୍ପୃକ୍ତ ଅଞ୍ଚଳରେ ଆମେ ସଜାଗ ରହି ଜଙ୍ଗଲୀ ହାତୀଙ୍କ ଗତିବିଧି ଅନୁସରଣ କରିବା ସହ ସାଧାରଣଙ୍କ ଧନଜୀବନ ଯେପରି କ୍ଷତି ନ ହୁଏ ସେଥିପ୍ରତି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
