କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନସ୍ ଟିମ୍ ଦ୍ୱାରା କାବୁ।
କୋରାପୁଟ: କୁନ୍ଦ୍ରା ବ୍ଲକରେ ମନରେଗା କାମରେ ବିଲ କରିବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକ।ସୂତ୍ର ଅନୁଯାୟୀ, ମସିଗାଁ ପଞ୍ଚାୟତର ଝଡଙ୍ଗା ଗ୍ରାମର ଆରଡି ରାସ୍ତା ଠାରୁ ସ୍ମଶାନ ପର୍ଯ୍ୟନ୍ତ ମେଟେଲ ମୋରମ ରାସ୍ତା ନିର୍ମାଣ ମନରେଗା ଯୋଜନା ଅଧୀନରେ ୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ହେଉଥିଲା।ଏହି କାମ ପାଇଁ ଦାୟିତ୍ବ ପ୍ରଫୁଲ କୁମାର ସ୍ବାଇଁଙ୍କୁ ଦିଆଯାଇଥିଲା। ତାଙ୍କ ବକେୟା ବିଲ ୩ ଲକ୍ଷ ଟଙ୍କା ମୋଚନ ପାଇଁ ସହକାରୀ ଯନ୍ତ୍ରୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏନେଇ ପ୍ରଫୁଲ ଜୟପୁର ଭିଜିଲାନସ୍ ବିଭାଗକୁ ଅଭିଯୋଗ କରିଥିଲେ। ସଂଧ୍ୟା ସମୟରେ ଟଙ୍କା ଗ୍ରହଣ ସମୟରେ ଭିଜିଲାନସ୍ ଟିମ୍ ତାଙ୍କୁ ରଙ୍ଗେହାତେ ଧରିଛି।ଭିଜିଲାନସ୍ ଏସପି ଅଭୟ କୁମାର ମହାପାତ୍ର ଏହି ସଫଳ ଚଢ଼ାଉ ବିଷୟରେ ସୂଚନା ଦେଇଛନ୍ତି।ତଦନ୍ତ ଜାରି ରହିଛି ଓ ଏହି ଅପରେସନରେ ଡିଏସପି ସଦାନନ୍ଦ ପାଣି, ଅଭୟ ପ୍ରଧାନ ଓ ଇନସପେକ୍ଟର ସୁର୍ଯ୍ୟପ୍ରକାଶ ନାୟକ ଭାଗ ନେଇଥିଲେ।ଏହି ଘଟଣା ସହିତ ସମ୍ପର୍କିତ ଏକ ଅଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସୂଚନା ମିଳିଛି।
