ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଗଜପତି,୯।୧୨(ମନୋଜ ପାଢୀ): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି।
ମୃତକ ହେଲେ ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଡେଙ୍ଗାଆମ୍ବ ଗାଁର ସନ୍ୟା ମଲ୍ଲିକଙ୍କ ପୁଅ ଜୟ ମଲ୍ଲିକ।ମିଳିଥିବା ସୂଚନା ମୁତାବକ, ୧ ବର୍ଷ ତଳେ ଜୟ ଗୋଆ ଦାଦନ ଖଟିବାକୁ ଯାଇଥିଲେ।
ସେଠାରେ ସେ ଏକ ହୋଟେଲରେ ୱେଟର୍ ଭାବେ କାମ କରୁଥିଲେ। ହେଲେ ଗତ ୬ ତାରିଖ ସାରେ ଓଲ୍ଡ ଗୋଆ ପୋଲିସ ଷ୍ଟେଶନ ନିକଟରେ ଥିବା ସାମ୍ବାର ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲ ବାଥରୁମରୁ ଝୁଲନ୍ତା ଅବସ୍ଥାରେ ଜୟଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା।
ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଏପରିକି ପୋଲିସ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇଥିଲା। ହେଲେ ଜୟଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରୁ ନ ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
