Koraput Teaching Hospital, 24x7 Power Supply, TPSODL, Odisha Health Infrastructure

କୋରାପୁଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି

ଟିପିଏସ୍ଓଡିଏଲ୍ନୂତନ ୩୩ କେଭି ଲାଇନ ଓ ଟ୍ରାନ୍ସଫର୍ମର ଯୋଗେ ଉତ୍ସର୍ଗୀକୃତ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା

ବ୍ରହ୍ମପୁର, ସେପ୍ଟେମ୍ୱର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ୍ ପାଇଁ ୫୦୦ କେଭି କ୍ଷମତା ବିଶିଷ୍ଟ ବିତରଣ ଟ୍ରାନ୍ସଫର୍ମର ସହ ସ୍ୱତନ୍ତ୍ର ୩୩ କେଭି ଲାଇନ ପ୍ରତିଷ୍ଠା ହୋଇଛି । ଏହି ଉତ୍ସର୍ଗୀକୃତ ବିଦ୍ୟୁତ ସେବା ନୂତନ ହସ୍ପିଟାଲ୍, ହଷ୍ଟେଲ ଓ ଆବାସିକ କ୍ୱାଟର୍ସ ପାଇଁ ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଜୁଳି ସେବା ସୁନିଶ୍ଚିତ କରିବ । ସୁନାବେଡ଼ା ଗ୍ରୀଡ଼ ସବଷ୍ଟେସନରୁ କୋରାପୁଟ ପୁରୁଣା ପାଓ୍ୱାର ସବଷ୍ଟେସନ ପର୍ଯ୍ୟନ୍ତ ଲମ୍ୱିଥିବା ୩୩ କେଭି ଲାଇନରୁ ଏକ ନୂତନ ଲିଙ୍କ୍ ଲାଇନ ଯୋଗେ ନୂତନ ଡାକ୍ତରଖାନା କୋଠାକୁ ବିଜୁଳି ଯୋଗାଣ ହୋଇଛି । ୨୦ଟି ବିଦ୍ୟୁତ ପୋଲ୍ ଓ ୭୦୦ ସର୍କିଟ ମିଟରର ୩୩ କେଭି ଲାଇନ ଯୋଗେ ଏହି ଲିଙ୍କ୍ ଲାଇନ ଟଣାଯାଇଥିବା ବେଳେ ହସ୍ପିଟାଲ ପରିସରରେ ଏକ ୫୦୦ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଏକ ସ୍ୱତନ୍ତ୍ର ବିଦ୍ୟୁତ ଭିତ୍ତିଭୂମି ବ୍ୟବସ୍ଥା ସ୍ଥାପନ କରାଯାଇଛି । ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ଗୁରୁତ୍ୱକୁ ଅନୁଭବ କରି କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏହି ନୂତନ ହସ୍ପିଟାଲରେ ସିଟି ସ୍କାନ୍, ଡାଏଲିସିସ୍ ୟୁନିଟ୍, ଅକ୍ସିଜେନ ପ୍ଲାଣ୍ଟ ଓ ଅତ୍ୟାଧୁନିକ ନିଦାନ ତଥା ଚିକିତ୍ସା ସେବା ଉପଲବ୍ଧ ରହିଛି । କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ହେତୁ ଏଠାକୁ କିଭଳି ନିରବଚ୍ଛିନ୍ନ ଅର୍ଥାତ୍ ୨୪ ଘଣ୍ଟିଆ ବିଜୁଳି ସେବା ମିଳିବ ସେନେଇ କମ୍ପାନୀ ସମସ୍ତ ପଦକ୍ଷେପ ନେଇଛି । ଏକ ପୃଥକ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା କରିବା ସହ ଏବି ସୁଇଚ, ଆଇସୋଲେଟର ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣର ବ୍ୟବସ୍ଥା ସୁନିଶ୍ଚିତ କରିଛି ।୬୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ ଏହା ଦକ୍ଷିଣ ଓଡ଼ିଶାର ହଜାର ହଜାର ଲୋକଙ୍କୁ ଗୁଣାତ୍ମକ ତଥା ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବ । ଏହି ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ଯେପରି ବିଜୁଳି ଯୋଗାଣଜନିତ ବାଧା ଉତ୍ପନ୍ନ ନହୁଏ ସେନେଇ କମ୍ପାନୀ ସଦା ସଚେତନ ରହିଛି ।ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ଆବଶ୍ୟକତାକୁ ଅନୁଭବ କରି ନବନିର୍ମିତ ଡାକ୍ତରଖାନା ନିମନ୍ତେ ଉତ୍ସର୍ଗୀକୃତ ଓ ନିର୍ଭରଯୋଗ୍ୟ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି । ଟିପିଏସ୍ଓଡିଏଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସୁନିଶ୍ଚିତ କରି ଗର୍ବ ଅନୁଭବ କରେ । ଏହି ପଦକ୍ଷେପ ଦକ୍ଷିଣ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢୀକରଣ ସହ ଉପଭୋକ୍ତା ସଂପ୍ରଦାୟକୁ ସେବା ଯୋଗାଇବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ”