Cricket: ଆଇସିସି ପୁଣି ଥରେ ବାଂଲାଦେଶକୁ ଖେ​ଳିବାକୁ ସୁଯୋଗ ଦେବ: ଆସିଫ ନଜରୁଲ୍

ବାଂଲାଦେଶ କ୍ରିକେଟ୍ ଦଳ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ ନାହିଁ। ଏ ନେଇ ଘୋଷଣା କରିଛନ୍ତି ବାଂଲାଦେଶ ସରକାର। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବାଂଲାଦେଶର ସୁରକ୍ଷା ଚିନ୍ତାକୁ ଗୁରୁତ୍ବ ଦେଇନଥିବାରୁ ଭାରତ ଗସ୍ତ କରିବାର ପ୍ରଶ୍ନ ଉଠୁନାହିଁ.

ଢାକା: ବାଂଲାଦେଶ କ୍ରିକେଟ୍ ଦଳ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ ନାହିଁ। ଏ ନେଇ ଘୋଷଣା କରିଛନ୍ତି ବାଂଲାଦେଶ ସରକାର। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବାଂଲାଦେଶର ସୁରକ୍ଷା ଚିନ୍ତାକୁ ଗୁରୁତ୍ବ ଦେଇନଥିବାରୁ ଭାରତ ଗସ୍ତ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବାଂଲାଦେଶ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ୍ କହିଛନ୍ତି। ତେବେ ସେ ଆଶା ପ୍ରକାଶ କରିଛନ୍ତି ଯେ ଆଇସିସି ପୁଣି ଥରେ ବାଂଲାଦେଶକୁ ଖେ​ଳିବାକୁ ସୁଯୋଗ ଦେବ।

ବୁଧବାର ଆସିସି ପକ୍ଷରୁ ବିଶ୍ବକପ୍ ସଂପର୍କରେ ନିଷ୍ପତ୍ତି ନେବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହାର ଦିନକ ପରେ ବାଂଲାଦେଶ ସରକାର ଆଜି ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଅଧ୍ୟକ୍ଷ ଅମିନୁଲ ଇସଲାମ କହିଛନ୍ତି ଯେ ବୋର୍ଡ ପକ୍ଷରୁ ପୁଣି ଥରେ ଆଇସିସି ନିକଟରେ ନିଜର ପ୍ରସ୍ତାବ ସହ ଆବେଦନ କରାଯିବ।ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଷ୍ପତ୍ତି ନେବାକୁ ବିସିବିକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। କିନ୍ତୁ ଏକ ଅନ୍ତର୍ଜାତୀୟ ସଂସ୍ଥା ଏପରି କରିପାରିବ ନାହିଁ। ବିଶ୍ବକପକୁ ଭାରତ ଓ ଶ୍ରୀଲଙ୍କା ମିଳିତଭାବେ ଆୟୋଜନ କରୁଛନ୍ତି। ଆମେ କେବଳ ଶ୍ରୀଲଙ୍କାକୁ ମ୍ୟାଚ ସ୍ଥାନାନ୍ତର ବିଷୟରେ ଅନୁରୋଧ କରିଥିଲୁ। ବାଂଲାଦେଶ ନ ଖେଳିଲେ, ବିଶ୍ବକପ ୨୦ କୋଟି ଦର୍ଶକ ହରାଇବ, ଯାହାକି ଆଇସିସିର କ୍ଷତି।