ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୮ତମ ଜନ୍ମ ଜୟନ୍ତୀରେ ଗୁଣପୁର ବଂଶଧାରା ସାହିତ୍ୟ ସମାଜ ତରଫରୁ ତୃତୀୟ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ
ରାୟଗଡ( ସ୍ୱ ପ୍ର ): ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୮ତମ ଜନ୍ମ ଜୟନ୍ତୀ ଅବସରରେ ଗୁଣପୁର ବଂଶଧାରା ସାହିତ୍ୟ ସମାଜ ତରଫରୁ ତୃତୀୟ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଶ୍ରୀ ଅକ୍ଷୟ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସହ-ସମ୍ପାଦକ ଉମାଶଙ୍କର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସୀମାଞ୍ଚଳ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପଦେଷ୍ଟା ତଥା ରାମନାଗୁଡା ତହସିଲଦାର ଡଃ ପ୍ରାଣକୃଷ୍ଣ ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତପନ କୁମାର ଶତପଥୀ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ତଥା ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଓ ଜନଜାତିମାନଙ୍କର ନେତୃତ୍ୱ, ତ୍ୟାଗ ଓ ବଳିଦାନର ବିଶେଷତା ସମ୍ପର୍କରେ ଆଲୋଚନା କରିବା ସହ ନିୟମଗିରି ଆନ୍ଦୋଳନକୁ ନେଇ ତାଙ୍କ ରଚିତ ପୁସ୍ତକ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ।
ଅନ୍ୟ ଆଲୋଚକ ଭାବେ ବୈପାରିଗୁଡ଼ା ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ଼ଃ ସଦାନନ୍ଦ ଅଢାରୀ ଯୋଗଦେଇ କହିଥିଲେ ଯେ, ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ମାଲକାନଗିରି ଜିଲ୍ଲା ନୁହେଁ, କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମ। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ଆଜି ବି ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ଗ୍ରାମ ଅଗମ୍ୟ ଓ ଅବହେଳିତ ହୋଇ ରହିଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବୀରଭୂମି କୁଜେନ୍ଦ୍ରୀର ଯୁବ ସରପଞ୍ଚ ରମେଶ ଶବର ଯୋଗଦେଇ କହିଥିଲେ ଯେ, ଆମ ଯୁବପିଢ଼ି ବିପଥଗାମୀ ହେଉଥିବା ବେଳେ ppସେମାନଙ୍କୁ ଦେଶପ୍ରେମରେ ଅନୁପ୍ରାଣିତ କରି ଜଣେ ଜଣେ ଲକ୍ଷ୍ମଣ ନାୟକ ଭାବେ ଗଢ଼ି ତୋଳିବାକୁ ହେବ। ଏହି ଅବସରରେ ସେ କୁଜେନ୍ଦ୍ରି ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଆମେ ସମସ୍ତେ ସ୍ୱାଧୀନ ଭାରତର ଉର୍ନତି ନିମନ୍ତେ ଆଗେଇ ଆସିଲେ, ସ୍ୱାଧୀନତା ସଂଗ୍ରlମରେ ଭାଗ ନେଇ ସହିଦ ଲକ୍ଷ ଲକ୍ଷ ମହାପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ବ୍ୟକ୍ତ କରିଥିଲେ lଉକ୍ତ କାର୍ଯ୍ୟକ୍ରମର ସମୀକ୍ଷକ ଭାବେ ଲବ୍ଧପ୍ରତିଷ୍ଠିତ କବି ତଥା ଅବସରପ୍ରାପ୍ତ ପଞ୍ଚାୟତ ବିଭାଗ ଅଧିକାରୀ ପ୍ରଭାତ କୁମାର ଶତପଥୀ ଯୋଗଦେଇ ଆଲୋଚନାର ସମୀକ୍ଷା କରିବା ସହ ଭାରତବର୍ଷ ପରାଧୀନତାର ଦୁଃଖରୁ ଅନେକ କିଛି ଶିକ୍ଷା ଲାଭ କରିଛି ବୋଲି ମତ ପ୍ରକାଶ କରିଥିଲେ।
ଏହି ଆଭାସୀ ଆଲୋଚନା ଚକ୍ରର ସୁପରିଚାଳନା ଓ ସଂଯୋଜନା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡମ୍ବସରାର ଓଡ଼ିଆ ଅଧ୍ୟାପକ ଶେଷସାୟୀ ସେନାପତି କରିଥିବା ବେଳେ ଶିକ୍ଷକ ତଥା କବି ଅଶ୍ୱିନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରମେଶ ମିଶ୍ର, ବେବିରାଣୀ ନନ୍ଦ, ଗୁଡ଼ାରୀ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଜଳନ୍ଧର ଗଉଡ଼, ରମେଶ ଲିମା, ଗଙ୍ଗାଧର ମହାପାତ୍ର, ଦୀପକ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶହୀଦ ଲକ୍ଷ୍ମଣ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
