କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ; ପୁଅର ମୃତଦେହ ଫେରାଇବାକୁ ଅସହାୟ ମାଆଙ୍କୁ ବିଧାୟକଙ୍କ ସହାୟତା
କନ୍ଧମାଳ : -(ରିପୋର୍ଟ କୁନା ଦିଗାଲ )ପୁଅର ମୃତଦେହକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଅର୍ଥାଭାବ ମାଆଙ୍କ ପାଇଁ ବଡ଼ ପ୍ରତିବନ୍ଧକ ସାଜିଛି। ଏଭଳି ଦୁଃଖଦ ପରିସ୍ଥିତିରେ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ।ଏଭଳି ହୃଦୟବିଦାରକ ଘଟଣା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ତରାବାଡ଼ି (କୁଅଁସାହି) ଗ୍ରାମର। ଗ୍ରାମର ବସନ୍ତ ନାୟକଙ୍କ ୪୦ ବର୍ଷୀୟ ପୁଅ ରାଜେଶ ନାୟକ ପରିବାର ପ୍ରତିପୋଷଣ ଓ ଜୀବିକା ନିର୍ବାହ ଆଶାରେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି। ଗତ ନଭେମ୍ବର ୭ ତାରିଖରେ ପରିବାର ଲୋକେ ଏହି ଦୁଃଖଦ ଖବର ପାଇଥିଲେ। ବର୍ତ୍ତମାନ ତାଙ୍କ ମୃତଦେହ କେରଳର ତ୍ରିଶୁର ମେଡିକାଲ କଲେଜରେ ରହିଛି।ପୁଅର ମୃତଦେହକୁ ଶେଷଥର ପାଇଁ ଦେଖିବା ସହ ନିଜ ଜନ୍ମମାଟିରେ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିବା ମାଆଙ୍କ ପାଇଁ ଅର୍ଥାଭାବ ଏକ ବଡ଼ ସମସ୍ୟା ପାଲଟିଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମାନବିକତାର ପରିଚୟ ଦେଇ ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ନିମନ୍ତେ ଶୋକସନ୍ତପ୍ତ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିପଦ ଓ ଦୁଃଖର ସମୟରେ ଜଣେ ଜନପ୍ରତିନିଧିଙ୍କ ଏଭଳି ସହଯୋଗ ନିଶ୍ଚିତ ଭାବେ ପ୍ରଶଂସନୀୟ। ତେବେ ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲ୍ଲାରେ ଦାଦନ ସମସ୍ୟାର କରୁଣ ଚିତ୍ରକୁ ସାମ୍ନାକୁ ଆଣିଛି। ପରିବାର ପ୍ରତିପୋଷଣ ପାଇଁ ନିଜ ମାଟି ଛାଡ଼ି ପରଦେଶକୁ ଯାଉଥିବା ଶ୍ରମିକଙ୍କ ଜୀବନ ଓ ସେମାନଙ୍କ ପରିବାରର ସୁରକ୍ଷା ଆଜି ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।
