*ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି, ବିଭିନ୍ନ ଗ୍ରାମରେ ପଶିଲା ବନ୍ୟାଜଳ* ।ଗଜପତି,୨୯.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନବସତି ଜଳମଗ୍ନ ହୋଇଥିବା ଜଣାପଡ଼ିଛି।ଗୋଷାଣି ବ୍ଳକ ଅନ୍ତର୍ଗତ ବାଘଶଳା ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ୭୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପ ଜିଲ୍ଲାପାଳ ସୁଶ୍ରୀ ଭଗତ ଶାମଲ କଲ୍ୟାଣରାଓ, ତହସିଲଦାର ଶ୍ରୀ ନାରାୟଣ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେରାଣ୍ଡି ଓ ମାଛମରା ଗ୍ରାମରେ ମଧ୍ୟ ଜଳ ପ୍ରବେଶ କରିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସହରର ତଳିଆ ଅଞ୍ଚଳ ମକାତୋଟାମ୍ମା ମନ୍ଦିର ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଜନସାଧାରଣ ଜଳବନ୍ଦୀ ହୋଇଥିବା ଜଣାପଡିଛି।ଏହାକୁ ନେଇ ନଦୀ ନିକଟବର୍ତ୍ତୀ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।ଏଭଳି ସ୍ଥିତିରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଉପଜିଲ୍ଲାପାଳ ସୁଶ୍ରୀ ଭଗତ ଶାମଲ କଲ୍ୟାଣରାଓ ମହେନ୍ଦ୍ରତନୟା ନଦୀ ନିକଟରେ ପହଞ୍ଚି ନଦୀରେ ପ୍ରବାହିତ ଜଳସ୍ରୋତ ଓ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଏଥି ସହିତ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ଫସଲ ନଷ୍ଟ ହୋଇଯାଇଥିବା ପରିଲକ୍ଷିତ ହୋଇଛି।ଏଭଳି ପରିସ୍ଥିତିରେ ନଦୀ ଓ ଜଳ ପ୍ରବାହିତ ଅଞ୍ଚଳ ନିକଟକୁ ନଯିବା ସହ ପ୍ରଶାସନ ପକ୍ଷରୁ ଜାରି ସତର୍କତା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି, ବିଭିନ୍ନ ଗ୍ରାମରେ ପଶିଲା ବନ୍ୟାଜଳ* ।
