*ପୂର୍ତ୍ତ ବିଭାଗର ସୂଚନା ଫଳକରେ ତୃଟି, ସଂଶୋଧନ ନିମନ୍ତେ ଦାବି।*
ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପୋଲିସ ଷ୍ଟେସନ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାପିତ ସୂଚନା ଫଳକରେ ତୃଟି ରହିଥିବା ଦେଖିବାକୁ ମିଳିଛି। ଏହି ଫଳକରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର ଠିକଣା ଦର୍ଶାଯାଇଥିବା ବେଳେ, ଉକ୍ତ କାର୍ଯ୍ୟାଳୟ ଦୀର୍ଘଦିନ ହେଲା ସ୍ଥାନାନ୍ତରିତ ହୋଇ ବର୍ତ୍ତମାନ ବେତାଗୁଡ଼ା ନିକଟରେ କାର୍ଯ୍ୟ କରୁଛି।ତେବେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସ୍ଥାନାନ୍ତର ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଫଳକରେ ଥିବା ତୃଟିକୁ ଏପର୍ଯ୍ୟନ୍ତ ସଂଶୋଧନ କରାଯାଇନାହିଁ। ଫଳରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଖୋଜୁଥିବା ଲୋକମାନେ ଭୁଲ୍ ଠିକଣା ପାଇ ଦ୍ୱନ୍ଦ୍ୱରେ ପଡ଼ିବାର ଆଶଙ୍କା ରହିଛି।ସରକାରୀ ସୂଚନା ଫଳକରେ ଏଭଳି ତୃଟି ରହିବା ଯୋଗୁଁ ଜନସାଧାରଣଙ୍କୁ ଅଯଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଣୁ ପୂର୍ତ୍ତ ବିଭାଗ ତୁରନ୍ତ ଏହି ବିଷୟକୁ ଗୁରୁତ୍ୱ ଦେଇ ସୂଚନା ଫଳକରେ ଥିବା ତୃଟି ସଂଶୋଧନ କରିବା ସହ ସଠିକ୍ ଠିକଣା ଉଲ୍ଲେଖ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।
