କେବେ କାର୍ଯ୍ୟକ୍ଷମ ହେବ ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ?

କେବେ କାର୍ଯ୍ୟକ୍ଷମ ହେବ ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ?

*କେବେ କାର୍ଯ୍ୟକ୍ଷମ ହେବ ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ?

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କେବେ ପୁନର୍ବାର କାର୍ଯ୍ୟକ୍ଷମ ହେବ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଗତ ଅଗଷ୍ଟ ୨୯ ତାରିଖରେ କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି କମ୍ପ୍ୟୁଟର ବିଭାଗର ବିଭିନ୍ନ ଯନ୍ତ୍ରପାତି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ନଷ୍ଟ ହୋଇଯାଇଥିଲା। ଏହାପରଠାରୁ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଭାବିକ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି।ବର୍ତ୍ତମାନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ବେତାଗୁଡ଼ା ନିକଟସ୍ଥ ଗାଡ଼ି ଚାଳନା ପରୀକ୍ଷା କେନ୍ଦ୍ରରେ ଚାଲୁଥିବା ଦେଖିବାକୁ ମିଳୁଛି। ତେବେ ଏ ସମ୍ପର୍କରେ ଅନେକ ଜନସାଧାରଣ ଅବଗତ ନଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସି ଅସୁବିଧାରେ ପଡ଼ୁଛନ୍ତି। ଠିକ୍ ସୂଚନା ନପାଇ ଲୋକେ ହଇରାଣ ହେଉଥିବାରୁ ଏହାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଗାଡ଼ିର ପ୍ରଦୂଷଣ ପରୀକ୍ଷା (ପଲ୍ୟୁସନ ଟେଷ୍ଟିଂ) ପାଇଁ ବର୍ତ୍ତମାନ କୌଣସି ଯାନ ଉପଲବ୍ଧ ନଥିବାରୁ ଗାଡ଼ି ମାଲିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ପ୍ରଦୂଷଣ ପ୍ରମାଣପତ୍ର ପାଇବା ପାଇଁ ସେମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।ଏଭଳି ସ୍ଥିତିରେ ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଶୀଘ୍ର ସ୍ୱାଭାବିକ କରିବା ସହ ପ୍ରଦୂଷଣ ପରୀକ୍ଷା ବ୍ୟବସ୍ଥା ପୁନଃ ଆରମ୍ଭ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଏଥିସହ କାର୍ଯ୍ୟାଳୟରେ କେଉଁ କେଉଁ ସେବା କେଉଁ ସ୍ଥାନରେ ମିଳୁଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଚାର କରିବାକୁ ମଧ୍ୟ ଦାବି ହେଉଛି।ଏବେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ—ଅଗ୍ନିକାଣ୍ଡର ଦୁଇ ମାସ ପରେ ମଧ୍ୟ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ଲୋକଙ୍କୁ କେବେ ସ୍ୱାଭାବିକ ସେବା ମିଳିବ ବୋଲି ଅନାଇ ବସିଛନ୍ତି।