*ସଡ଼କ ଦୁର୍ଘଟଣାରେ ପରିବା ବିକ୍ରେତାଙ୍କ ମୃତ୍ୟୁ, ସ୍ତ୍ରୀ ଆହତ*
ଗଜପତି ,18.10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଏସ୍କେସିଜି କଲେଜ ହଷ୍ଟେଲ ନିକଟରେ ଏକ ଅଟୋ ଓ ଟିଭିଏସ୍ ଏକ୍ସେଲ ମୋପେଡ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ପରିବା ବିକ୍ରେତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, କେରାଣ୍ଡି ଗ୍ରାମର ୫୬ ବର୍ଷୀୟ ପିତାମ୍ବର ପାଣ୍ଡି ନିଜ ସ୍ତ୍ରୀଙ୍କ ସହ ପାରଳାଖେମୁଣ୍ଡି ବଜାରରେ ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରତିଦିନ ଭଳି ଆଜି ମଧ୍ୟ ସେ ନିଜ ସ୍ତ୍ରୀଙ୍କ ସହ ଟିଭିଏସ୍ ଏକ୍ସେଲ ଗାଡ଼ିରେ ପରିବା ବିକ୍ରି କରିବା ପାଇଁ ବଜାର ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣାରେ ପିତାମ୍ବର ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପିତାମ୍ବର ଜଣେ ଗରିବ ଶ୍ରେଣୀର ଶ୍ରମଜୀବୀ ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଏହି ଦୁଃଖଦ ଘଟଣା ପରେ ମୃତକଙ୍କ ପରିବାରକୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଅନ୍ୟପକ୍ଷରେ, ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର ଗ୍ରାମ ଶ୍ମଶାନରେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
