*ପାରଳା ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ପାଟିକୋଟା ଗ୍ରାମ ପରିଦର୍ଶନ।*
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ପାଟିକୋଟା ଗ୍ରାମ ମୁଖ୍ୟ ରାସ୍ତାରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ସହ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଏବଂ ଡ୍ରେନ ଉପରେ ପ୍ଲେଟ ପକାଇବା ପାଇଁ ଗ୍ରାମବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା ଦିନରେ ମୁଖ୍ୟ ରାସ୍ତାରେ ବର୍ଷା ଜଳ ଜମି ରହିବା ସହ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏହା ଫଳରେ ଯାତାୟାତରେ ଅସୁବିଧା ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ଦୀର୍ଘଦିନ ଧରି ରହିଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଅବଗତ କରିଥିଲେ।ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ବିଧାୟକ ରୁପେଶ ପାଣିଗ୍ରାହୀ ଆଜି ଅଚାନକ ପାଟିକୋଟା ଗ୍ରାମକୁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ଗ୍ରାମବାସୀ ବର୍ଷା ସମୟରେ ମୁଖ୍ୟ ରାସ୍ତା ଉପରେ କିଭଳି ଭାବେ ପାଣି ପ୍ରବାହିତ ହେଉଛି, ସେ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ।ସ୍ଥିତି ଦେଖିବା ପରେ ବିଧାୟକ ତୁରନ୍ତ ଜାତୀୟ ରାଜପଥ ବିଭାଗର ଅଧିକାରୀ ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ଅଭିଷେକ ସେଠୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ରାସ୍ତାର ଡ୍ରେନେଜ୍ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ସହ ଆବଶ୍ୟକ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ଅଧିକାରୀମାନଙ୍କୁ ଜଣାଇଥିଲେ।ଏହାର ଉତ୍ତରରେ ସମ୍ପୃକ୍ତ ଅଧିକାରୀମାନେ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ରାସ୍ତାର ସ୍ଥିତି ତଦାରଖ କରିବା ସହ ଆବଶ୍ୟକ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବେ ବୋଲି ବିଧାୟକଙ୍କୁ ଜଣାଇଥିବା ସୂଚନା ମିଳିଛି।ଏଥି ସହ ପାଟିକୋଟା ଗ୍ରାମର ମୁଖ୍ୟ ରାସ୍ତାରେ ଆବଶ୍ୟକ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ବିଧାୟକ ରୁପେଶ ପାଣିଗ୍ରାହୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଓ ଡ୍ରେନ ଉପରେ ପ୍ଲେଟ ପକାଇଲେ ଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରିବା ସହ ଗ୍ରାମବାସୀଙ୍କ ଯାତାୟାତରେ ସୁବିଧା ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।ବିଧାୟକଙ୍କ ଏହି ପରିଦର୍ଶନ ସମୟରେ ନାଏବ ସରପଞ୍ଚ ସାଇଲଡା ଆନନ୍ଦ ରାଓ, ଏସ୍. ନାରାୟଣ ରାଓ, ଦିଲେଶ୍ୱର ରାଓଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
