ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନସିପ୍ର ତୃତୀୟ ଦିନ ସଫଳତାର ସହ ସମ୍ପନ୍ନ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ କଇଁପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନସିପ୍ର ତୃତୀୟ ଦିନ ସଫଳତାର ସହ ସମ୍ପନ୍ନ ହୋଇଛି।ତୃତୀୟ ଦିନରେ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳା ବର୍ଗରେ କ୍ରସ୍ କଣ୍ଟ୍ରି ଅଲମ୍ପିକ ପ୍ରତିଯୋଗିତା ମୂଖ୍ୟ ଆକର୍ଷଣ ଥିଲା। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାଇକ୍ଲିଷ୍ଟମାନେ ମହେନ୍ଦ୍ରଗିରିର କଠିନ ଓ ଚ୍ୟାଲେଞ୍ଜିଂ ଟ୍ରାକ୍ରେ ନିଜର ଗତି ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବୟସ ବର୍ଗରେ ପୁରୁଷ ଓ ମହିଳା ରାଇଡରମାନେ ମୋଟ ୨୧ ଗୋଟି ପଦକ ପାଇଁ ମହେନ୍ଦ୍ରଗିରିର କଠିନ ଭୂଭାଗରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।ତୃତୀୟ ଦିନର ପ୍ରତିଯୋଗିତା ଶେଷରେ ପଦକ ବିତରଣ ସମାରୋହରେ ୨ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନର ସିନିୟର କମାଣ୍ଡାଣ୍ଟ ଶ୍ରୀ ବ୍ରଜମୋହନ ନାୟକ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ଶ୍ରୀ ଭି.ଏନ୍.ସିଂହ ଯୋଗଦେଇ ବିଜେତାମାନଙ୍କୁ ପଦକ ପ୍ରଦାନ କରିଥିଲେ।ତୃତୀୟ ଦିନର ପ୍ରତିଯୋଗିତା ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଥିବାରୁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଏହି ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରାଯାଇଛି।ବିଶେଷକରି ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ବୈଷୟିକ ଅଧିକାରୀ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ସଦସ୍ୟ ଓ ସ୍ୱେଚ୍ଛାସେବୀ, ଗଜପତି ଜିଲ୍ଲା ପୋଲିସ୍ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବାହିନୀ, ମାର୍ଶାଲ୍ମାନେ ଏବଂ ସ୍ଥାନୀୟ ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟ କରି ପ୍ରତିଯୋଗିତାକୁ ସୁରକ୍ଷିତ ଓ ସୁଚାରୁ ଭାବେ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।
