ରାଜ୍ୟ ରୋଡ୍ ସାଇକ୍ଲିଂ ଚାମ୍ପିୟନସିପ୍ରେ ସୁନ୍ଦରଗଡ଼ର ଦମଦାର ପ୍ରଦର୍ଶନ
ରାଉରକେଲା: ରାଉରକେଲାରେ ଆୟୋଜିତ ରାଜ୍ୟ ରୋଡ୍ ସାଇକ୍ଲିଂ ଚାମ୍ପିୟନସିପ୍ରେ ସୁନ୍ଦରଗଡ଼ ଜିଲ୍ଲାର କ୍ରୀଡ଼ାବିତ୍ମାନେ ଚମତ୍କାର ପ୍ରଦର୍ଶନ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ଟାଇମ୍ ଟ୍ରାଏଲ୍ ଓ ମାସ୍ ଷ୍ଟାର୍ଟ ବର୍ଗରେ ରାଉରକେଲା ଓ ସୁନ୍ଦରଗଡ଼ର ଖେଳାଳିମାନେ ମୋଟ ୧୦ଟି ପଦକ ହାସଲ କରିଛନ୍ତି।ରାଉରକେଲାର ପ୍ରୀତମ ପରମାଣିକ ୟୁଥ୍ ବାଳକ ବର୍ଗରେ ଉଭୟ ଟାଇମ୍ ଟ୍ରାଏଲ୍ ଓ ମାସ୍ ଷ୍ଟାର୍ଟରେ ପ୍ରଥମ ସ୍ଥାନ ହାସଲ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଉପକନିଷ୍ଠ ବାଳକ ବର୍ଗରେ ଆର୍.ଏସ୍. ଉପାଂଶୁ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।କନିଷ୍ଠ ମହିଳା ବର୍ଗରେ ସୁନ୍ଦରଗଡ଼ର ରିୟା କୁମାରୀ ଉଭୟ ଟାଇମ୍ ଟ୍ରାଏଲ୍ ଓ ମାସ୍ ଷ୍ଟାର୍ଟରେ ସ୍ୱର୍ଣ୍ଣ ପଦକ ଜିତି ଚମତ୍କାର ସଫଳତା ପାଇଛନ୍ତି। ଉପକନିଷ୍ଠ ମହିଳା ବର୍ଗରେ ବର୍ଷା ବାନାର୍ଜୀ ଟାଇମ୍ ଟ୍ରାଏଲ୍ରେ କାଂସ୍ୟ ଓ ମାସ୍ ଷ୍ଟାର୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି।ଅନ୍ୟପକ୍ଷରେ ଅବିନାଶ ସୁତାର ଟାଇମ୍ ଟ୍ରାଏଲ୍ରେ କାଂସ୍ୟ ଏବଂ ସୌରଭ ମହାଲିକ ମାସ୍ ଷ୍ଟାର୍ଟରେ କାଂସ୍ୟ ପଦକ ଜିତିଛନ୍ତି। କନିଷ୍ଠ ମହିଳା ମାସ୍ ଷ୍ଟାର୍ଟରେ ଶିବାନୀ କୁମାରୀ ଶାହ ରୌପ୍ୟ ପଦକ ହାସଲ କରିଛନ୍ତି। କନିଷ୍ଠ ବାଳିକା ମହିଳା ରୋଡ୍ ରେସ୍ ମାସ୍ ଷ୍ଟାର୍ଟରେ ମଧ୍ୟ ସୁନ୍ଦରଗଡ଼ର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏଥିରେ ବର୍ଷା ବାନାର୍ଜୀ ରୌପ୍ୟ ଓ ଶିବାନୀ କୁମାରୀ ଶାହ କାଂସ୍ୟ ପଦକ ହାସଲ କରିଛନ୍ତି।ସୁନ୍ଦରଗଡ଼ ଜିଲ୍ଲାର ସାଇକ୍ଲିଂ ଖେଳାଳିମାନଙ୍କ ଏହି ସଫଳତାକୁ ନେଇ କ୍ରୀଡ଼ାପ୍ରେମୀ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ପ୍ରତିଯୋଗିତାର ସ୍ୱର୍ଣ୍ଣ ପଦକ ତାଲିକାରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ରାଉରକେଲାକୁ ୪ଟି ଓ ସୁନ୍ଦରଗଡ଼କୁ ୨ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଭଦ୍ରକକୁ ୫ଟି ଓ ଭୁବନେଶ୍ୱରକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଛି।
