ହାଇତିରେ ଗ୍ୟାଙ୍ଗ ଆତଙ୍କ: ୪୭ ମୃତ, ୫୦ରୁ ଅଧିକ ଅପହୃତ

Violent Gang Attack: ଗୁଳି, ଅପହରଣ ଓ ରକ୍ତପାତ: ହାଇତିରେ ୨୪ ଘଣ୍ଟାର ନରସଂହାର

ହାଇତିରେ ଗ୍ୟାଙ୍ଗ ଆତଙ୍କ: ୪୭ ମୃତ, ୫୦ରୁ ଅଧିକ ଅପହୃତ

ପୋର୍ଟ-ଓ-ପ୍ରିନ୍ସ: ହାଇତିର ରାଜଧାନୀ ପୋର୍ଟ-ଓ-ପ୍ରିନ୍ସ ନିକଟସ୍ଥ କେନ୍ସକଫ୍ ଅଞ୍ଚଳରେ ଏକ ସଶସ୍ତ୍ର ଗ୍ୟାଙ୍ଗର ଭୟଙ୍କର ଆକ୍ରମଣରେ ଅତିକମରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଥିବା ସୂଚନା ମିଳିଛି। ଏହାସହ ୫୦ରୁ ଅଧିକ ଲୋକଙ୍କୁ ଅପହରଣ କରାଯାଇଥିବା ଖବର ମିଳିଛି।ମିଳିତ ଜାତିସଂଘ ଓ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଗତ ସପ୍ତାହ ଶେଷରେ ଏହି ହିଂସାକାଣ୍ଡ ଘଟିଥିଲା। ଆକ୍ରମଣକାରୀମାନେ ଏକ ଚର୍ଚ୍ଚରେ ଆଶ୍ରୟ ନେଇଥିବା ବିସ୍ଥାପିତ ପରିବାରଗୁଡ଼ିକୁ ଟାର୍ଗେଟ୍ କରିଥିଲେ। ଆକ୍ରମଣ ସମୟରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯିବା ସହ ଅନେକଙ୍କୁ ବନ୍ଦୀ କରି ନିଆଯାଇଥିଲା।‘ଦ ହାଇତିଆନ୍ ନ୍ୟୁଜ୍’ର ରିପୋର୍ଟ ଅନୁସାରେ, ରବିବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ସଶସ୍ତ୍ର ଗ୍ୟାଙ୍ଗ ସଦସ୍ୟମାନେ କେନ୍ସକଫ୍ ସହରରେ ପ୍ରବେଶ କରିଥିଲେ। ଏହାପରେ ପ୍ରାୟ ୨୪ ଘଣ୍ଟା ଧରି ସହରର ବିଭିନ୍ନ ସ୍ଥାନରେ ହତ୍ୟା, ଲୁଟପାଟ ଓ ଅପହରଣ ଚାଲିଥିବା ଅଭିଯୋଗ ହୋଇଛି।ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ କେନ୍ସକଫ୍ ସହରଟି ହାଇତିର ରାଜଧାନୀ ପୋର୍ଟ-ଓ-ପ୍ରିନ୍ସଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ରକ୍ତରଞ୍ଜିତ ହିଂସା ହାଇତିର ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ଗ୍ୟାଙ୍ଗ ହିଂସାକୁ ନେଇ ପୁଣିଥରେ ଗୁରୁତର ଚିନ୍ତା ସୃଷ୍ଟି କରିଛି।ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଅପହୃତ ଲୋକଙ୍କ ସନ୍ଧାନ ଓ ଆକ୍ରମଣକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜାରି ରହିଛି।