ଇସଲାମାବାଦର PIMS ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୫ ନବଜାତ ଶିଶୁଙ୍କ ମୃତ୍ୟୁ
ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (PIMS) ହସ୍ପିଟାଲରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ନବଜାତ ଶିଶୁ ନର୍ସରୀ ୱାର୍ଡରେ ନିଆଁ ଲାଗିବା ପରେ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି।ରିପୋର୍ଟ ଅନୁଯାୟୀ, ଘଟଣା ସମୟରେ ନର୍ସରୀ ୱାର୍ଡରେ ମୋଟ ୧୬ ଜଣ ନବଜାତ ଶିଶୁ ଥିଲେ। ଉଦ୍ଧାରକାରୀ ଦଳ ଏବଂ ଡାକ୍ତରମାନେ ଜଣେ ଶିଶୁଙ୍କୁ କାଚ ଝରକା ଭାଙ୍ଗି ତୃତୀୟ ମହଲାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି।ପ୍ରାଥମିକ ସୂଚନା ଅନୁସାରେ, ନର୍ସରୀ ୱାର୍ଡରେ ଥିବା ଏକ ଏୟାର କଣ୍ଡିସନରର କମ୍ପ୍ରେସର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସକାଳ ପ୍ରାୟ ୭ଟା ସମୟରେ ନିଆଁ ଲାଗିବା ପରେ ହସ୍ପିଟାଲକୁ ତୁରନ୍ତ ଉଦ୍ଧାରକାରୀ ଦଳ ଓ ଅଗ୍ନିଶମ ବାହିନୀ ପଠାଯାଇଥିଲା।ଅଗ୍ନିଶମ କର୍ମଚାରୀମାନେ ନିଆଁ ନିୟନ୍ତ୍ରଣ ସହ ହସ୍ପିଟାଲ ଭିତରେ ଥିବା ରୋଗୀ ଓ କର୍ମଚାରୀଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଘଟଣା ପରେ ହସ୍ପିଟାଲର ନବଜାତ ଶିଶୁ ଓ ପ୍ରସୂତି ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ କରାଯାଉଥିବା ସୂଚନା ମିଳିଛି।
