କନ୍ଧମାଳ ଜିଲ୍ଲାର ଦାଦନ ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଦାବୀ
କନ୍ଧମାଳ :୧୪/୦୮/୦୨୬:(ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲାର ୬ ଜଣ ଦାଦନ ଶ୍ରମିକ ବାହାର ରାଜ୍ୟରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁବରଣ କରିଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା, ପିଲାମାନଙ୍କ ଶିକ୍ଷାର ସୁବିଧା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାରେ ସାମିଲ କରିବା ଦାବି ନେଇ ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ, ସ୍ୱାକ୍ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ସ୍ୱାକ୍ ପକ୍ଷରୁ ମୃତ ଦାଦନ ଶ୍ରମିକଙ୍କ ପରିବାରର ଦୁର୍ଦ୍ଦଶାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହିତ ପରିବାରର ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା।ଦାବିପତ୍ରକୁ ଗୁରୁତ୍ୱର ସହ ବିଚାର କରି କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ବିଶ୍ୱରଞ୍ଜନ କହଁର ଏବଂ ସହକାରୀ ଶ୍ରମ ଅଧିକାରୀ ସ୍ପିନିତା ଦେବୀ ସମ୍ପୃକ୍ତ ମୃତ ଶ୍ରମିକଙ୍କ ପରିବାରଗୁଡ଼ିକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ସେମାନେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ଆର୍ଥିକ ସ୍ଥିତି, ପିଲାମାନଙ୍କ ଶିକ୍ଷା ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।ପ୍ରଶାସନ ପକ୍ଷରୁ ଦାବିପତ୍ର ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ଅସହାୟ ପରିବାରଗୁଡ଼ିକର ଘରକୁ ଯାଇ ତଦନ୍ତ କରାଯାଇଥିବାରୁ ସ୍ୱାକ୍ ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ମୃତ ଦାଦନ ଶ୍ରମିକଙ୍କ ପରିବାର ପ୍ରତି ସମ୍ବେଦନଶୀଳତା ଦେଖାଇ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେଇଥିବାରୁ ସ୍ୱାକ୍ ସଦସ୍ୟ ଏବଂ ଅଞ୍ଚଳବାସୀ କନ୍ଧମାଳ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।ସେହିପରି, ଏହି ପରିବାରଗୁଡ଼ିକୁ କେବଳ ତତ୍କାଳୀନ ସହାୟତାରେ ସୀମିତ ନରଖି, ସ୍ଥାୟୀ ଜୀବିକା, ପିଲାମାନଙ୍କ ଶିକ୍ଷା ଏବଂ ସମସ୍ତ ଯୋଗ୍ୟ ସରକାରୀ ଯୋଜନାର ସୁବିଧା ଯୋଗାଇଦେବାକୁ ସ୍ୱାକ୍ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
