ଓଡ଼ିଶାରେ ମା’ ଓ ଭଉଣୀମାନଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ଓଡିଶା ର ଆନ୍ତରିକ ନିବେଦନ
ରାୟଗଡ ( info media) ଜଗତ ର ନାଥ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶା ସଦା ସର୍ବଦା ଶାନ୍ତି, ସହନଶୀଳତା, ସଂସ୍କୃତି ଓ ନାରୀ ସମ୍ମାନର ପ୍ରତୀକ ହୋଇ ରହିଆସିଛି। ଆମ ମାଟିରେ ନାରୀଙ୍କୁ ଶକ୍ତିର ସ୍ୱରୂପ ଭାବରେ ପୂଜା କରାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କ ପ୍ରତି ନିର୍ଯାତନା, ଅପମାନ, ଅସଦାଚରଣ ଓ ଅସୁରକ୍ଷାର ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ବ୍ୟଥିତ ଓ ଚିନ୍ତିତ କରୁଛି।ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ଓଡ଼ିଶାର ସମ୍ମାନ, ଆମ ମା’, ଭଉଣୀ ଓ ଝିଅମାନଙ୍କ ଭବିଷ୍ୟତ ଏବଂ ସମାଜର ନୈତିକ ମୂଲ୍ୟବୋଧର ପ୍ରଶ୍ନ। ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବେ ବିଜେଡି ପକ୍ଷରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ , ଗୃହ ମନ୍ତ୍ରଣାଳୟର ମହିଳା ସୁରକ୍ଷା ବିଭାଗ, ରାଜ୍ୟ ମହିଳା କମିଶନ,ମହିଳା ଶିଶୁ ସୁରକ୍ଷା ସଗଠନ,ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ସମ୍ପୃକ୍ତ ସଂସ୍ଥାଙ୍କୁ ନିବେଦନ କରିଛନ୍ତି l ମହିଳା ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉ। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ସଚେତନତା ଅଭିଯାନ କରାଯାଉ, ଯାହାଦ୍ୱାରା ପ୍ରତ୍ୟେକ ନାଗରିକ ନାରୀ ସମ୍ମାନ ଓ ଆଇନଗତ ଅଧିକାର ବିଷୟରେ ସଚେତନ ହୋଇପାରିବେ।ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସାମାଜିକ ସ୍ତରରେ ମହିଳା ସୁରକ୍ଷା, ସାଇବର ଅପରାଧ ଓ ଲିଙ୍ଗ ସମାନତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରାଯାଉ। ପୀଡ଼ିତ ମହିଳାମାନଙ୍କୁ ତ୍ୱରିତ ନ୍ୟାୟ, ଆଇନଗତ ସହାୟତା ଏବଂ ମାନସିକ ସମର୍ଥନ ଯୋଗାଇ ଦିଆଯାଉ। ସୋସିଆଲ ମିଡିଆ ଏବଂ ଡିଜିଟାଲ ମାଧ୍ୟମରେ ଅପମାନଜନକ ଭିଡିଓ ଓ ସାମଗ୍ରୀ ପ୍ରସାରଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଉ।ଆଜି ରାଜନୀତିଠାରୁ ବଡ଼ ପ୍ରଶ୍ନ ହେଉଛି ମାନବିକତା। ଯଦି ଆମ ମା’ ଓ ଭଉଣୀମାନେ ନିଜ ରାଜ୍ୟରେ ନିଜକୁ ସୁରକ୍ଷିତ ମନେ ନ କରିବେ, ତେବେ ବିକାଶ, ପ୍ରଗତି ଓ ସମୃଦ୍ଧିର ସମସ୍ତ ଦାବି ଅର୍ଥହୀନ ହୋଇଯିବ। ଆମେ ସରକାର, ପ୍ରଶାସନ ଓ ସମାଜର ପ୍ରତ୍ୟେକ ବିବେକବାନ ନାଗରିକଙ୍କୁ ହାତ ଯୋଡ଼ି ନିବେଦନ କରୁଛୁ ନାରୀର ସମ୍ମାନ କୌଣସି ଦଳର ଏଜେଣ୍ଡା ନୁହେଁ, ଏହା ସମାଜର କର୍ତ୍ତବ୍ୟ ଓ ସମ୍ବିଧାନର ଆତ୍ମା। ଆସନ୍ତୁ, ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ଏକ ସୁରକ୍ଷିତ, ସମ୍ମାନପୂର୍ଣ୍ଣ ଓ ସଚେତନ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହେବା। ମା’ ଓ ଭଉଣୀଙ୍କ ଆଖିର ଲୁହ କୌଣସି ସଭ୍ୟ ସମାଜ ପାଇଁ ଗୌରବର ବିଷୟ ହୋଇପାରେ ନାହିଁ। ସେମାନଙ୍କ ସୁରକ୍ଷା ହିଁ ଆମର ସର୍ବୋଚ୍ଚ କର୍ତ୍ତବ୍ୟବୋଲି ପୂର୍ବତନ ମନ୍ତ୍ରୀ ଆଦିବାସୀ ଜାତି ଜନଜାତି ତଥା ପୋଛୁଆବର୍ଗ ଉନୟନ ଓ ଆଇନ ବିଭାଗ ତଥା ରାୟଗଡ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାରକା କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
