ପାଡୁନ ବାଡ଼ି ଗ୍ରାମର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ, କହିବ କାହାକୁ ସରକାର, ପ୍ରଶାସନ କୋମା ରେ

ପାଡୁନ ବାଡ଼ି ଗ୍ରାମର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ, କହିବ କାହାକୁ ସରକାର, ପ୍ରଶାସନ କୋମା ରେ

ପାଡୁନ ବାଡ଼ି ଗ୍ରାମର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ, କହିବ କାହାକୁ ସରକାର, ପ୍ରଶାସନ କୋମା ରେ …

କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ନିକଟସ୍ଥ ପାଡୁନ ବାଡ଼ି ଏମିତି ଏକ ଗ୍ରାମ, ଯେଉଁଠାରେ ଜନ୍ମ ନେବା ଆଜି ଗ୍ରାମବାସୀଙ୍କ ପାଇଁ ଏକ ଅଭିଶାପ ବୋଲି ମନେ କରୁଛନ୍ତି । କାରଣ, ଏହି ଗ୍ରାମକୁ ପହଞ୍ଚିବା ପାଇଁ ପଞ୍ଚାୟତ ରାସ୍ତାଠାରୁ ୬ କିଲୋମିଟରରୁ ଅଧିକ ଦୁର୍ଗମ ଘାଟି ଓ ପାହାଡ଼ ଅତିକ୍ରମ କରିବାକୁ ପଡ଼େ। ଏପରିକି ଏହି ରାସ୍ତା ମଧ୍ୟ ସାଧାରଣ ଚଳାଚଳ ପାଇଁ ଉପଯୁକ୍ତ ନୁହେଁ ।ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ପାଡୁନ ବାଡ଼ି ଗ୍ରାମକୁ ବିଦ୍ୟୁତ ସଂଯୋଗ ପହଞ୍ଚି ପାରିନାହିଁ। ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ସେମାନେ ଭୋଟ ବର୍ଜନ ପର୍ଯ୍ୟନ୍ତ ଚରମ ପଦକ୍ଷେପ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମର ମୌଳିକ ସମସ୍ୟାର ସମାଧାନ କରାଯିବ ଏବଂ ସମସ୍ତ ଘରକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସ୍ଥାନୀୟ ରାଇକିଆ ବ୍ଲକ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦେଇଥିଲେ ତଥାପି ଆଜି ପର୍ଯ୍ୟନ୍ତ ସରକାର ଏହି ଗ୍ରାମର ମୌଳିକ ସମସ୍ୟା ପ୍ରତି ଆବଶ୍ୟକ ଦୃଷ୍ଟି ଦେଇନାହାନ୍ତି ।ପାଡୁନ ବାଡ଼ି ଗ୍ରାମରେ ତିନୋଟି ସାହି ରହିଥିବା ବେଳେ ପ୍ରାୟ ୨୦୦ ଆଦିବାସୀ ଓ ଦଳିତ ପରିବାର ବସବାସ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ଉନ୍ନତ ରାସ୍ତାଘାଟ ଓ ସାହି ଭିତରେ କଂକ୍ରିଟ ରାସ୍ତା ଭଳି ଅତ୍ୟାବଶ୍ୟକ ସୁବିଧା ପହଞ୍ଚି ନାହିଁ । ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି ।ବିଦ୍ୟୁତ ସଂଯୋଗ ନ ଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ଜୀବିକାର ବିକାଶ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ବାହ୍ୟ ଜଗତ ସହ ସଂଯୋଗ ରଖିବା ମଧ୍ୟ ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।ସରକାର ଆଦିବାସୀ ଓ ଦଳିତ ସମୁଦାୟର ବିକାଶ ପାଇଁ ଶହ ଶହ ଯୋଜନା ଘୋଷଣା କରୁଥିବା ବେଳେ, ପାଡୁନ ବାଡ଼ି ଗ୍ରାମ ପାଇଁ ସେସବୁ ଯୋଜନା କାଗଜ ପତ୍ରରେ ସୀମିତ ରହିଯାଇଛି । ଏହି ଗ୍ରାମ ପ୍ରତି ସରକାରଙ୍କ ବୈମାତୃକ ଓ ଅବହେଳାପୂର୍ଣ୍ଣ ମନୋଭାବ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ ।ପ୍ରଶ୍ନ ଉଠୁଛି — ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ପାଡୁନ ବାଡ଼ି ବାସୀ କେବେ ପାଇବେ ମୌଳିକ ଅଧିକାର ଓ ବିକାଶର ଆଲୋକ ?ଏଣୁ ଗ୍ରାମର ୱାର୍ଡ ସଦସ୍ୟ ଶ୍ରୀ ରବୀନ୍ଦ୍ର ପ୍ରଧାନଙ୍କ ସମେତ ଶ୍ରୀ ଡିଡିମ ପରିଛା, ଶ୍ରୀ ଯଶବନ୍ତ ପରିଛା, ଶ୍ରୀ ସୁବାସ ମଳିକ, ଶ୍ରୀ ସୂର୍ଯ୍ୟକାନ୍ତ ପରିଛା, ଶ୍ରୀ ରିଙ୍କୁ ପରିଛା ଓ ସମସ୍ତ ଗ୍ରାମବାସୀ ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯଦି ଅତିଶୀଘ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ ନ କରାଯାଏ, ତେବେ ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଆବଶ୍ୟକ ପଡ଼ିଲେ ବିଧାନସଭା ସମ୍ମୁଖରେ ଧାରଣା-ପ୍ରଦର୍ଶନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି।