ଟିକାବାଲିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା…
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଭାବେ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳ ସ୍ଥାୟୀ ଭାବେ ଯୋଗଦାନ କରିବା ପରେ ତାଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର (CRCC) ସଂଯୋଜକମାନେ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ଶ୍ରୀ ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲଙ୍କ ତତ୍ତ୍ୱାବଧାନରେ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ଯୋଗଦାନ ପରେ ଶ୍ରୀ ଦିଗାଳ ନିଜ ଅଭିଭାଷଣରେ କହିଥିଲେ ଯେ, ସମସ୍ତଙ୍କ ସହଯୋଗ, ସକାରାତ୍ମକ ଚିନ୍ତାଧାରା, ସମୟାନୁବର୍ତ୍ତିତା ଏବଂ ଦାୟିତ୍ୱବୋଧ ମାଧ୍ୟମରେ ଟିକାବାଲି ବ୍ଲକ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ଟିକାବାଲି ବ୍ଲକରେ ସ୍ଥାୟୀ ଭାବେ ଯୋଗଦାନ କରିଥିବାରୁ ସେ ନିଜ ଖୁସି ବ୍ୟକ୍ତ କରିଥିଲେ Iଏହା ସହିତ ତାଙ୍କ କାର୍ଯ୍ୟକାଳର ପ୍ରଥମ ବ୍ଲକସ୍ତରୀୟ ମାସିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୟୁନିଫର୍ମ ଓ ହାଉସ୍ ଡ୍ରେସ୍ ବଣ୍ଟନ ର ସମୀକ୍ଷା , MMCCPY ଅଧୀନରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ , ଉଲ୍ଲାସ ପରୀକ୍ଷା ପାଇଁ ପଞ୍ଜୀକରଣ, ଗ୍ରୀଷ୍ମକାଳୀନ ଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା, UAS ପୋର୍ଟାଲ ରେ ପଞ୍ଜିକରଣ , ନିପୁଣ ଆପ୍ରେ ପଞ୍ଜୀକରଣ, ନୂତନ ପାଠ୍ୟ ପୁସ୍ତକ ବଣ୍ଟନ, DigiGov ମାଧ୍ୟମରେ ୟୁନିଫର୍ମ ଅର୍ଥ ପ୍ରଦାନ ଓ ବିଭିନ୍ନ ଅନୁଦାନର ଉପଯୋଗ ପ୍ରମାଣପତ୍ର (UC) ଦାଖଲ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ପିଲାମାନଙ୍କ ପାଇଁ ସ୍ୱଚ୍ଛ, ସୁରକ୍ଷିତ ଓ ଶିକ୍ଷାନୁକୂଳ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେବାପାଇଁ ଆଲୋଚନା ହୋଇଥିଲା । ଏଥିସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସୁପରିଚାଳନା ଓ ସାପ୍ତାହିକ ଲୌହ ଓ ଫୋଲିଜ ଏସିଡ ଔଷଧ ବଣ୍ଟନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ଓ ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର, ପବିତ୍ର ସାହୁ, ବିଷ୍ଣୁ ପ୍ରସାଦ ହୋତା, ଜୟପ୍ରକାଶ ପାତ୍ର, ଉମେଶ ଦୁଗାଳ, ରବିନାରାୟଣ ସାହୁ, ମୁରଲୀଧର ପଲ୍ଲେଇ, ଲାଲମୋହନ କହଁର, ଶୁଭସ୍ମୃତି ଦାଶ ଓ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ହିସାବରକ୍ଷକ, କିରାଣୀ ଓ ପିଅନ ଉପସ୍ଥିତ ଥିଲେ।
