ରାଣୀ ସପୁରି ପାଇଁ ବଜାର ନାହିଁ: ଅଚଳ ପଡ଼ିଛି ପ୍ରୋସେସିଂ ୟୁନିଟ୍, ଚିନ୍ତାରେ ଚାଷୀ ।
ଗଜପତି, (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ‘ରାଣୀ ସପୁରୀ’…ସୁଗନ୍ଧ ଓ ମିଠା ସ୍ୱାଦ ପାଇଁ ଓଡ଼ିଶା ବାହାରେ ଏହାର ଚାହିଦା ପ୍ରବଳ । ତେବେ ଉପଯୁକ୍ତ ବଜାର ଓ ସଠିକ୍ ମୂଲ୍ୟ ନମିଳୁଥିବାରୁ ଭାଗ୍ୟକୁ ଆଦରି ବସିଛନ୍ତି ଚାଷୀ । ୫୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ସପୁରୀ ପ୍ରୋସେସିଂ ୟୁନିଟ୍ ବିଗତ ଦୁଇ ବର୍ଷ ହେଲା ସମ୍ପୂର୍ଣ୍ଣ ଅଚଳ । ସରକାରୀ ଅବହେଳା ଏବଂ ବାହାର ଦଲାଲଙ୍କ ଦାଦାଗିରି ବଢ଼ିଲାଣି ତୀବ୍ର ଅସନ୍ତୋଷ । ଗଜପତି ଜିଲ୍ଲାର ରାୟଗଡ଼ା, ଗୁମ୍ମା ଏବଂ ନୂଆଗଡ଼ ବ୍ଲକ୍ । ଏହି ଅଞ୍ଚଳର ମାଟି ଓ ପାଣିପାଗ ‘ରାଣୀ ସପୁରୀ’ ଚାଷ ପାଇଁ ବେଶ୍ ଅନୁକୂଳ । ହଜାର ହଜାର ଆଦିବାସୀ ପରିବାର ବର୍ଷ ବର୍ଷ ଧରି ଏହି ସପୁରୀ ଚାଷ କରି ନିଜର ଜୀବିକା ଚଳାଇ ଆସୁଛନ୍ତି । ରାଣୀ ସପୁରୀର ସ୍ୱାଦ ଏବଂ ସୁଗନ୍ଧ ଏତେ ଚମତ୍କାର ଯେ, ରାଜ୍ୟ ତଥା ରାଜ୍ୟ ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଚାଷୀମାନେ ଏବେ ବି ବଜାର ବ୍ୟବସ୍ଥାରୁ ବଞ୍ଚିତ । ତତ୍କାଳୀନ ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ସିଣ୍ଡିବା ଗାଁରେ ୫୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଥାପନ କରାଯାଇଥିଲା ଅତ୍ୟାଧୁନିକ ସପୁରି ପ୍ରୋସେସିଂ ୟୁନିଟ୍ । ଆରମ୍ଭ ଦିନରେ ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ନୂଆ ଆଶା ସଞ୍ଚାର କରିଥିଲା । ସପୁରୀରୁ ସୁଆଦିଆ ଜୁସ୍, ଜାମ୍ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା । ଏହି ୟୁନିଟ୍ ମାଧ୍ୟମରେ ପ୍ରାୟ ୬୪ଟି ଏସ୍ଏଚ୍ଜି ଗ୍ରୁପ୍ର ୩୦୦ରୁ ଅଧିକ ମହିଳା ନିଜ ଗାଁରେ ରୋଜଗାର ପାଇ ସ୍ୱାବଲମ୍ବୀ ହୋଇପାରିଥିଲେ । କିନ୍ତୁ ଏହି ୟୁନିଟ୍ ଏବେ ଅଚଳ ପଡ଼ିଥିବା ବେଳେ ବିଭାଗୀୟ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି ।ସପୁରୀ ପ୍ରୋସେସିଂ ୟୁନିଟ୍ ଅଚଳ ହୋଇଥିବା ବେଳେ ସ୍ଥାନୀୟ ଚାଷୀଙ୍କ ଅସହାୟତାର ସୁଯୋଗ ନେଉଛନ୍ତି ପଡ଼ୋଶୀ ରାଜ୍ୟର ବ୍ୟବସାୟୀ । ସ୍ୱଳ୍ପ ମୂଲ୍ୟରେ ସପୁରି କିଣି ନେବା ସହ ବଜାରରେ ଚଢ଼ା ଦରରେ ବିକ୍ରି କରି ମୋଟା ଅଙ୍କର ଲାଭ କମାଉଛନ୍ତି । ଏଭଳି ସ୍ଥିତିରେ ସ୍ଥାନୀୟ ବାସିନ୍ଦା ଓ ମହିଳା ଏସଏଚଜି ଗ୍ରୁପ୍ଗୁଡ଼ିକ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଛି । ଅଚଳ ପ୍ରୋସେସିଂ ୟୁନିଟ୍କୁ ତୁରନ୍ତ ସରକାରୀ ସହାୟତାରେ ପୁନଃ କାର୍ଯ୍ୟକ୍ଷମ କରିବା ସହ ବଜାର ବ୍ୟବସ୍ଥା, ଏବଂ ଏମ୍ଏସ୍ପି ନିର୍ଦ୍ଧାରଣ କରିବାକୁ ଦାବି ଉଠିଛି । କେବଳ ସେତିକି ନୁହେଁ, ‘ରାଣୀ ସପୁରୀ’ ଯଦି ଜିଆଇ ଟ୍ୟାଗ୍ ମିଳିଲେ ବିଶ୍ୱସ୍ତରୀୟ ପରିଚୟ ମିଳିବା ସହ ଚାଷୀମାନେ ଆର୍ଥିକ ସମୃଦ୍ଧ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।ସରକାରୀ ଉଦାସୀନତା ଏବଂ ଦୂରଦୃଷ୍ଟିସମ୍ପନ୍ନ ବଜାର ନୀତିର ଅଭାବ ଯୋଗୁଁ ‘ରାଣୀ ସପୁରୀ’ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ଏନେଇ ପ୍ରଶାସନ ଉଚିତ୍ ପଦକ୍ଷେପ ନେଇପାରିଲେ ଚାଷୀଙ୍କ ଭାଗ୍ୟ ବଦଳିବା ସହ ଗଜପତି ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ହୋଇପାରନ୍ତା ବୋଲି ଆଶା ।
