ଅଂଶୁଘାତ ସନ୍ଦେହ: କେନ୍ଦୁପତ୍ର ତୋଳାଳୀ ମହିଳାଙ୍କ ମୃତ୍ୟୁ
କୋରାପୁଟ ସ୍ଥାନ: ବୈପାରିଗୁଡାବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଛି। କସ୍ତୁରୀ ଗାଦବା (୫୭) ନାମକ ଜଣେ ମହିଳା କେନ୍ଦୁପତ୍ର ତୋଳିବା ସମୟରେ ଅଚେତ ହୋଇ ପଡ଼ିଥିବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।ଘଟଣା ଅନୁଯାୟୀ, ଆଜି ସକାଳେ କସ୍ତୁରୀ ଗାଦବା କିଛି ଅନ୍ୟ ମହିଳାଙ୍କ ସହ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ।ସହଯୋଗୀ ମହିଳାମାନେ ତାଙ୍କୁ ତୁରନ୍ତ ଘରକୁ ଆଣିଥିଲେ। ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବୈପାରିଗୁଡା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଛି। ସୂର୍ଯ୍ୟାସ୍ତ ହେବାରୁ ଆଜି ଶବ ବ୍ୟବଚ୍ଛେଦ କରାଯାଇପାରିନଥିଲା। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ।ପରିବାର ପକ୍ଷରୁ ଅଂଶୁଘାତ (ହିଟ୍ଷ୍ଟ୍ରୋକ) ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣାଯାଇଛି। ତେବେ ଡାକ୍ତରଙ୍କ କହିବା ଅନୁସାରେ, ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
