ବେଆଇନ ଇଟାଭାଟି ବନ୍ଦ କରିବାରେ ବିଫଳ ହେଉଛି ପ୍ରଶାସନ

ବେଆଇନ ଇଟାଭାଟି ବନ୍ଦ କରିବାରେ ବିଫଳ ହେଉଛି ପ୍ରଶାସନ

ବେଆଇନ ଇଟାଭାଟି ବନ୍ଦ କରିବାରେ ବିଫଳ ହେଉଛି ପ୍ରଶାସନ

ଗଜପତି,୨୮.୩(ମନୋଜ ପାଢ଼ୀ)-: ବେଆଇନ ଇଟାଭାଟି ବନ୍ଦ କରିବାରେ ବିଫଳ ହେଉଛି ପ୍ରଶାସନ । ନାମକୁ ମାତ୍ର ବର୍ଷକୁ ଥରେ ବେଆଇନ ଇଟାଭାଟି ଭାଙ୍ଗି ଜରିମାନା ପକାଇ ଚୂପ୍ ବସୁଥିବାର ଆଲୋଚନା ହେଉଛି । ଯାହାର ଭରପୁର ଫାଇଦା ଉଠାଉଛନ୍ତି ମାଟି ଇଟା କାରବାରୀ । ପାରଳାଖେମୁଣ୍ଡି ସହର ଉପକଣ୍ଠ ଅଞ୍ଚଳରେ ଗଢି ଉଠିଛି ମାଳମାଳ ବେଆଇନ ଇଟାଭାଟି, ବିଶେଷ କରି ପାରଳାଖେମୁଣ୍ଡି ଠାରୁ ଗୁମ୍ମା ରାସ୍ତାକଡରେ ରାଣୀପେଣ୍ଠ ଠାରୁ ଆରମ୍ଭ କରି ଗୁମ୍ମା ପର୍ଯ୍ୟନ୍ତ ଦଶରୁ ଅଧିକ ବଡ ବଡ ଇଟାଭାଟି ରହିଛି । ଲକ୍ଷ ଲକ୍ଷ ଇଟା ତିଆରି କରି ପୋଡ଼ା ଯାଉଥିବା ବେଳେ ପ୍ରଶାସନ ସବୁ ଜାଣି ଅଜଣା ସାଜିଛି । ଅଭିଯୋଗ ପରେ ନାମକୁ ମାତ୍ର କିଛି ଇଟାଭାଟି ନଷ୍ଟ କରିବା ସହ ଜରିମାନା ଆଦାୟ କରି ଚୁପ୍ ବସି ପଡିଛି । ମାତ୍ର ଚାରି ଦିନ ପୂର୍ବେ ରାଣୀପେଣ୍ଠ ଗ୍ରାମସ୍ଥ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟେର ଥିବା ଇଟାଭାଟି ଭାଙ୍ଗି ଯାଇଥିଲା ପ୍ରଶାସନ । ହେଲେ ଆଜି ସେହି ଇଟାଭାଟି ପୁଣି କାର୍ଯ୍ୟକ୍ଷମ ହୋଇଥିବାର ଦେଖିବାକୁ ମିଳିଥିଲା । ଲକ୍ଷାଧିକ ଟଙ୍କା ଜରିମାନା ବାନ୍ଧିଦେଇ ଉକ୍ତ ବେଆଇନ ଇଟାଭାଟି ମାଲିକ ବେଫିକର ହୋଇପଡିଥିବାର ଜଣାପଡୁଛି । କିନ୍ତୁ ପୂର୍ବ ପରି ସେହି ଅଞ୍ଚଳରେ ଅନେକ ଇଟାଭାଟି ଲକ୍ଷ ଲକ୍ଷ ସଂଖ୍ୟାର ଇଟା ପୋଡି ସମଗ୍ର ଅଞ୍ଚଳକୁ ପ୍ରଦୃଷଣ କରୁଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟ ପକ୍ଷରେ ଇଟା ପୋଡିବା ପାଇଁ ତଷୁ ସମେତ ବିପୁଳ ପରିମାଣର କାଠ ବ୍ୟବହାର ହେଉଛି ।

ଏତେ ପରିମାଣର କାଠ କେଉଁଠୁ ଆସୁଛି ତାର କୈଣଶି ହିସାବ କାହା ପାଖରେ ନାହିଁ । ଗୋଟିଏ ପଟେ ସରକାରୀ ନିୟମ ଉଲ୍ଲଂଘନ କରି ଇଟାଭାଟି ଚଳାଇବା, ଅନ୍ୟ ପଟେ ବେଆଇନ କାଠ ଆଣି ଇଟା ପୋଡ଼ିବାକୁ ବ୍ୟବହାର କରିବା ଏହି ସବୁ ପ୍ରସାଶନ ନାକତଳେ ସହର ନିକଟରେ ଚାଲିଥିବା ସ୍ବତେ ପ୍ରଶାସନ ଓ ବନ ବିଭାଗ ଏବଂ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଅନ୍ୟ ପକ୍ଷରେ ଏନେଇ ଇଟାଭାଟି ମାଲିକ ମାନଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଯାହାକୁ କହିବାର ଅଛି କୁହ ଜରିମାନା ବାନ୍ଧିଲୁ ଟଙ୍କା ଦେଲୁ କଣ ପାଇଁ, ଏତେସବୁ ଇଟା ତିଆରି ହୋଇଛି ପୋଡି ନବିକିଲେ ସେହି ଟଙ୍କା କେମିତି ବାହାରିବ । ଯାହାକୁ କହିବାର ଅଛି କୁହ ଆମେ ସମସ୍ତଙ୍କୁ ହିସାବ ଦେଇ ସାରିଛୁ ଭଳି ବିତଣ୍ଡା ମତ ରଖୁଛନ୍ତି । ଏପରି ବିତଣ୍ଡା ମତରୁ ଜଣାପଡୁଛି ଯେ ଏମାନଙ୍କର ଲମ୍ବା ଚେର ମାଡିଯାଇଛି । ଶାସକ, ପ୍ରଶାସନ ପ୍ରଭୃତିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସମ୍ପୃକ୍ତ ଅଞ୍ଚଳର ରାଜସ୍ବ ନିରୀକ୍ଷକ ସଭିଏଁ ଗୋଟିଏ ଘାଟର ବୋଲି ଆଲୋଚନା ହେଉଛି ।