ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଶିଶୁ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଦାମାପାଳା ଗ୍ରାମର ମାନସୀ ହରିଜନ (୮) ଓ ପକନାଗୁଡା ଗ୍ରାମର ମେଲକା ହରିଜନ (୮) ନିଜ ମାମୁ ଘରେ ରହି ପାଠ ପଢୁଥିଲେ। ଆଜି ସକାଳେ ଦୁହେଁ ବିଦ୍ୟାଳୟକୁ ଯାଇ ପାଠ ପଢି ଘରକୁ ଫେରିଥିଲେ। ପରେ ଦୁଇ ଭଉଣୀ ଓ ଜଣେ ସାଙ୍ଗ ମିଶି ଗାଁ ପୋଖରୀକୁ ଯାଇଥିଲେ।ସେଠାରେ ଗାଧୋଇବା ସମୟରେ ଅସାବଧାନତାବଶତଃ ମାନସୀ ଓ ମେଲକା ପୋଖରୀ ପାଣିରେ ବୁଡ଼ି ଯାଇଥିଲେ।

ସାଙ୍ଗରେ ଥିବା ଅନ୍ୟ ଶିଶୁ ଘଟଣାଟି ଦେଖି ତୁରନ୍ତ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲା।ଖବର ପାଇ ପରିବାର ଲୋକେ ଅଗ୍ନିଶମ ବିଭାଗ ଓ କୋଡ଼ିଙ୍ଗା ପୋଲିସକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀ ଖୋଜାଖୋଜି କରି ଦୁଇ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ।ପରିବାର ପକ୍ଷରୁ କୋଡ଼ିଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି। ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ଚିକିତ୍ସାଳୟକୁ ପଠାଇଛି ବୋଲି ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।