ଶାସକ ଦଳ ଓ କଂଗ୍ରେସ ଉପରେ ବର୍ଷିଲା ବହୁଜନ ସମାଜ ପାର୍ଟି
ରାୟଗଡ଼ (ସ୍ୱ ପ୍ର ): ବହୁଜନ ସମାଜ ପାର୍ଟି (ବସପା) ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକାଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ାଠାରେ ବହୁଜନ ସମାଜ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନ ଆୟୋଜନ କରାଯାଇଥିଲା। ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ବହୁଜନ ସମାଜ ପାର୍ଟି ଆଜି କେନ୍ଦ୍ର ସରକାର, ସ୍ଥାନୀୟ ସାଂସଦ ଓ ବିଧାୟକ ମାନଙ୍କ ଉପରେ ବର୍ଷିଛନ୍ତି । ସଂସଦର ପ୍ରତି ମିନିଟ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଓଡିଶା ବିଧାନସଭାର ପ୍ରତି ଅଧିବେଶନ ପାଇଁ ରାଜକୋଷରୁ ପାଖାପାଖ୍ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଏଭଳି ସ୍ଥିତି ରେ ଗୃହରେ ଲୋକଙ୍କ ଜରୁରୀ ମୁଦ୍ଦା ଉପସ୍ଥାପନ କରିବା ପାଇଁ ବସପା, ସାଂସଦ ଏବଂ ବିଧାୟକ ମାନଙ୍କୁ ଦାବି କରିଛି ଓ ଜିଲ୍ଲାର କାଶୀପୁର ବ୍ଲକ ସୁଙ୍ଗେର ଘଟଣାକୁ ଉଲ୍ଲେଖ କରି ବିଏସପି ଲୋକଙ୍କ ଉପରେ ଅତ୍ୟାଚାର ବିରୋଧରେ କଠୋର ସ୍ୱର ଉଠାଇବାକୁ ଆହ୍ବାନ କରିଛି। ଜଳ ଜଙ୍ଗଲ, ଜମି ପାଇଁ ଯେଉଁ ମାନେ ସ୍ବର ଉଠାଉଛନ୍ତି, ପୁଲିସସେମାନଙ୍କୁ ଗିରଫ କରୁଛି । ଆଉ ଆମର ସାଂସଦ ଓ ବିଧାୟକ ମାନେ ଏସବୁ ଦେଖ୍ ମଧ୍ଯ ଚୁପ୍ ବସିଥିବା ନେଇ କଡ଼ା ଟିପ୍ପଣୀ କରିଛି ବସପା | ଜିଲ୍ଲାରେ ୧୮ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ କେବଳ ଗୋଟିଏ କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ସବୁ ଅଚଳ ହୋଇପଡିଛି। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ “ସ୍ବତନ୍ତ୍ର ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ପଦ ଦୀର୍ଘଦିନ ଧରି ଖାଲି ପଡିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପାଇଁ ପୃଥକ ପୃଥକ “ସ୍ବତନ୍ତ୍ର ଉନ୍ନୟନ ପରିଷଦ”ର ଅଧ୍ୟକ୍ଷ ଓ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ପ୍ରତି ସରକାର ଧ୍ୟାନ ଦେବା ପାଇଁ ଦଳ ପ୍ରସ୍ତାବ ଦେଇଛି । ଜିଲ୍ଲାର ଡ଼ିଏମଏଫ ଅନୁଦାନଜିଲ୍ଲାରେ ଖର୍ଚ୍ଚ ନ ହୋଇ ରାଜଧାନୀରେ ଖର୍ଚ୍ଚ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି। ସେହିପରି ଓପିଏଲପି ୨୦ କୁ ମଞ୍ଜୁରୀ ମିଳିବା ପରେ ବି ଏହା ଲାଗୁ ହେବାରେ ସଚିବ ସ୍ତର.ର ଅବହେଳା ହେଉଛି । ଯେଉଁଥୂପାଇଁ ସମଗ୍ର ରାଜ୍ୟର ଆଦିବାସୀ, ଡଙ୍ଗରିଆ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏ ନେଇ ସାଂସଦ ଏବଂ ବିଧାୟକ ମାନେ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି, ତାହାର ଜବାବ ରଖନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା ପ୍ରଶ୍ନ କରିଛନ୍ତି । କଂଗ୍ରେସ ମନରେଗା ଯୋଜନାର ନାମ ପରିବର୍ତନ ନେଇ ଯେତିକି ରାଜନୀତି କରୁଛି, ଏହି ଯୋଜନା ରେ ଶ୍ରମିକ ମାନଙ୍କ ପାରିଶ୍ରମିକବୃଦ୍ଧି, ମଜୁରି ଓ ମେଟେରିଆଲ ପେମେଣ୍ଟରେ ଡେରି ଓ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ନେଇ ସେତିକି ଉତ୍ସାହ କାହିଁକି ଦେଖାଉ ନାହିଁ ବୋଲି କୁହାଯାଇଛି। ଓଡିଶାର ଗୃହରକ୍ଷୀଙ୍କ ଦରମା ଓ ଛୁଟି ସୁବିଧା ନେଇ ମଧ୍ଯ ଦଳ ଚିନ୍ତା ବ୍ୟକ୍ତ କରିଛି। ବିଭିନ୍ନ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ବାରା ନିଯୋଜିତ କର୍ମଚାରୀ, ଠିକା କର୍ମଚାରୀ, ଡିଇଓ, ଆଶା, ଅଙ୍ଗନବାଡି, ଜୀବିକା ମିଶନ ଦିଦି, ଓଏଲଏମ, ମିଶନ ଶକ୍ତି ମାଁ ମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାର ବିଧାୟକ ମାନେ ଗୃହରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଦଳ ଜୋର ଦେଇଛି I ଶେଷରେ, ଗରିବ ଓ ମଧ୍ୟବିତ୍ତ ପରିବାର ମାନଙ୍କ ପାଇଁ ଅନ୍ୟୁନ ୯୦ ଦିନର ବିଦ୍ୟୁତ ବିଲ ଛାଡ଼ କରିବା ପାଇଁ ଦଳ ରାଜ୍ୟ ସରକାରଙ୍କ ଆଗରେ ପ୍ରସ୍ତାବ ଦେଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ଜାକେଶିକାଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା, ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ଓ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
