ଗଜପତି ଜିଲ୍ଲାରେ ସର୍ବ ଭାରତୀୟ ଧର୍ମଘଟ ସଫଳ ।
ଗଜପତି,୧୨.୨(ମନୋଜ ପାଢ଼ୀ):- ବିଜେପି ନେତୣତ୍ଵାଧିନ କେନ୍ଦ୍ର ସରକାରର ଜନ ବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୁଦ୍ଧରେ ଶ୍ରମିକ ଓ କୣଷକ ସଂଗଠନମାନଙ୍କ ତରଫରୁ ଦିଆଯାଇଥିବା ଦିନିକିଆ ସର୍ବଭାରତୀୟ ସାଧାରଣ ଧର୍ମଘଟ ଆଜି ଗଜପତି ଜିଲ୍ଲାରେ ବନ୍ଦରେ ପରିଣତ ହୋଇଯାଇଛି । ଆନ୍ଦୋଳକାରୀଙ୍କ ଡାକରାରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହାନ ଓ ଦୋକାନ ବଜାର ବନ୍ଦ ହେବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଥିଲା । ତେବେ ଗ୍ରାମାଞ୍ଚଳରେ ଥିବା ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ହୋଇନଥିବା ବେଳେ ଦୋକାନ ବଜାର ଖୋଲାଯାଇଥିଲା । ଗ୍ରାମାଞ୍ଚଳରେ କେବଳ ଯାତ୍ରୀବାହୀ ଗାଡି ବନ୍ଦ ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର କର୍ପୋରେଟଙ୍କ ସ୍ଵାର୍ଥରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ରହିଥିବା 29ଟି ଶ୍ରମ ଆଇନକୁ ବାତିଲ କରି 4ଟି ଶ୍ରମ କୋଡ଼୍ ଆଣିଛନ୍ତି ।
ଏହା ସହ ବିଜେପିର ରାଜ୍ୟ ସରକାର ମଧ୍ୟ ଗତ ବିଧାନସଭାରେ ସଂଶୋଧନ ଆଣି ପୂର୍ବରୁ ଥିବା ଆଠ ଘଣ୍ଟିଆ ଶ୍ରମ ଦିବସକୁ ଦଶ ଘଣ୍ଟିଆ କରିବା ସହ ମହିଳାଙ୍କୁ ରାତ୍ରିକାଳୀନ ଡ୍ୟୁଟି କରିବାକୁ ଅନୁମତି ଦେଇଛନ୍ତି । ଶ୍ରମିକ ଓ କର୍ମଚାରୀଙ୍କ ଅଧିକାରକୁ ଛିନ୍ନ କରୁଥିବା ଉପରୋକ୍ତ ଶ୍ରମକୋଡକୁ ବାତିଲ କରିବା, ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ ଶହେ ଦିନ କାମର ଅଧିକାର ଦେଉଥିବା ମନରେଗା ଆଇନ ବଦଳରେ ଆଣିଥିବା ବି ଭି ଜି ରାମଜି ଆଇନକୁ ପ୍ରତ୍ୟାହାର କରିବା ତଥା ପ୍ରସ୍ତାବିତ ଜନ ବିରୋଧୀ ବିଦ୍ୟୁତ ବିଲ୍ ତଥା କୣଷି ଓ କୣଷକ ବିରୋଧୀ ବିହନ ବିଲର ପ୍ରତ୍ୟାହାର ଦାବିରେ ଆଜି ସର୍ବ ଭାରତୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆ ଯାଇଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟର ଡାକରା ଦିଆ ଯାଇଥିଲା । ଆଜି ପୂର୍ବାହ୍ନରେ ଜିଲ୍ଲାର ଶ୍ରମିକ ଓ କୣଷକ ସଂଗଠନମାନଙ୍କ ଶତାଧିକ କର୍ମୀ ଓ ସମର୍ଥକମାନେ ପାରଳାଖେମୁଣ୍ଡି ପୁରୁଣା କୋର୍ଟ ଛକ ଠାରୁ ପଟୁଆରରେ ବାହାରି ଫାଇର ଷ୍ଟେସନ ଛକ ଠାରେ ଜମା ହୋଇ ପ୍ରତିବାଦ ସଭା କରିଥିଲେ ।
ଏହି କାର୍ଯ୍ୟକ୍ରମ ଏଆଇକେଏମଏସର ଜିଲ୍ଲା ସଂପାଦକ କେଦାର ଶବର, କାଡୁକା ଶବର, ଆଇଏଫଟିୟୁର କାରୁଗା ଶବର, ଏଆଇକେଏସର ଦଣ୍ଡପାଣି ରଇତ, ଏମ୍ ବାଙ୍ଗାରି ଏଆଇଟିୟୁସିର ନରସିଂହ ମାଳବିଷୋୟୀ, ରଞ୍ଜନ ମହାପାତ୍ର, ମହେନ୍ଦ୍ର ତନାୟା ନିର୍ମାଣ ଶ୍ରମିକ ସଂଗଠନ ଇସ୍ରାଏଲ ମାଳୀ, ଆଇଏନଟିୟୁସିର ଜଶ୍ମିନ୍, ଟିୟୁସିସିର ପି ମୁରଲି ପ୍ରମୁଖ ନେତୣତ୍ଵ ନେଇ ବନ୍ଦ ପାଳନରେ ଯୋଗ ଦେଇଥିଲେ । ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିଥିବା ବେଳେ କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା, ଜଶ୍ମିନ୍ ଶେଖ୍ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ମଧ୍ୟ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ଆଜିର ଧର୍ମଘଟ ଓ ବନ୍ଦକୁ ସମର୍ଥନ ଜଣାଇଥିବାରୁ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ଶ୍ରମିକ ସଂଗଠନମାନଙ୍କ ତରଫରୁ ଧନ୍ୟବାଦ ଜଣାଯାଇଛି ।
