କାଳିଆପାଣି–ଟମକା ସଡକରେ ବିଦ୍ୟୁତ୍ ସଂସ୍ପର୍ଶରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ
କାଳିଆପାଣି/ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଖଣିଅଞ୍ଚଳର ମୁଖ୍ୟ ରାସ୍ତା ଟମକା–ମଙ୍ଗଳପୁର ସଡକରେ ଆଜି ଘଟିଥିବା ଦୁର୍ଘଟଣାରେ ବିଦ୍ୟୁତ୍ କରେଣ୍ଟ୍ ସଂସ୍ପର୍ଶରେ ଆସି ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁର ଅନ୍ତର୍ଯ୍ୟାମୀ ସାହୁ (୪୬) ବୋଲି ଚିହ୍ନଟ ହୋଇଛନ୍ତି। ସେ କାଳିଆପାଣି ଟାଉନସିପର ଏସ୍. ରାମମୂର୍ତ୍ତିଙ୍କ ଟ୍ରକ୍ (ଓଆର୍–୦୯ଏଫ୍–୭୬୧୩) ଚଳାଉଥିଲେ।ସୂଚନା ଅନୁସାରେ, କଳିଙ୍ଗନଗର ଜିନ୍ଦଲ କାରଖାନାରେ କ୍ରୋମାଇଟ୍ ଖଲାସ କରି କାଳିଆପାଣିକୁ ଫେରୁଥିବା ବେଳେ ରାଇଘାଟି ନିକଟରେ ଟୁଙ୍ଗେଇଶୁଣି ଗାଁ ପାଖରେ ଟ୍ରକ୍ଟି ରାସ୍ତା ବାମପାର୍ଶ୍ବରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଖୁଣ୍ଟ ଭାଙ୍ଗି ତାରର ସ୍ରୋତ କ୍ୟାବିନ ଉପରେ ପଡିଥିବାରୁ ଟ୍ରକ୍ରେ ବିଦ୍ୟୁତ୍ ପ୍ରବାହ ହୋଇଯାଇଥିଲା।କରେଣ୍ଟ୍ ଲାଗିବା ପରେ ଚାଳକ ତଳକୁ ଡେଇଁବାକୁ ଚେଷ୍ଟା କରିଥିବାବେଳେ ଡୋର୍ ହାଣ୍ଡଲ ଧରିବାମାତ୍ରେ ସେ ରାସ୍ତା କଡ଼କୁ ଛାଟିହୋଇ ପଡିଥିଲେ।
ଏହି ସମୟରେ ଟ୍ରକ୍ର ଆଗ ଚକ ତାଙ୍କ ଉପରେ ଚଢ଼ିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ୍ର ବିଦ୍ୟୁତ୍ ଲାଇନ ସଂପୂର୍ଣ୍ଣ ଭାବେ ଓ କ୍ୟାବିନ ଆଂଶିକ ଭାବେ ପୋଡ଼ିଯାଇଛି।ନବନିଯୁକ୍ତ ଥାନା ଅଧିକାରୀ ବିନତି ଦାସ ସଦଳବଳ ଘଟଣାସ୍ଥଳକୁ ପହଞ୍ଚି କ୍ରେନ୍ ସାହାଯ୍ୟରେ ଟ୍ରକ୍ ଉଦ୍ଧାର କରିଥିଲେ। ପରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି। ଏ ସମ୍ପର୍କରେ ଟମକା ଥାନାରେ କେସ୍ ନଂ ୧୩/୨୬ ରୁଜୁ ହୋଇଛି ଏବଂ ପୁଲିସ ଟ୍ରକ୍ ଜବତ କରି ତଦନ୍ତ ଜାରି ରଖିଛି।
