ଅନୁଗୁଳ CDMO କାର୍ଯ୍ୟାଳୟର କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ, ବିପୁଳ ସଂପତ୍ତି ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ସମୟରେ ବିପୁଳ ସଂପତ୍ତିର ପ୍ରମାଣ ମିଳିଛି। ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ବେହେରାଙ୍କ ଅନୁଗୁଳ ସହରରେ ବିଳାସପୂର୍ଣ୍ଣ ୩ ମହଲା ଘର ଥିବା ସହ ତାହାରେ ଅତ୍ୟାଧୁନିକ ସାମଗ୍ରୀ ଲାଗିଥିବା ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚଢ଼ଉ ସମୟରେ ତାଙ୍କ ପାଖରୁ ୪୫୦ ଗ୍ରାମ ସୁନା, ଦାମୀ କାର, ଘଣ୍ଟା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମିଳିଛି।ଭିଜିଲାନ୍ସ ଆଜି ସକାଳୁ ତାଙ୍କର ୫ଟି ଠିକଣାରେ ଏକାସାଥିରେ ଚଢ଼ଉ କରିଥିଲା।
ଏହାରେ ଅନୁଗୁଳ ହାକିମପଡ଼ାରେ ଥିବା ତାଙ୍କ ୩ ମହଲା ଘର, ବଅଁରପାଳ ବ୍ଲକ୍ ବନ୍ଦା ଗାଁରେ ସଂପର୍କୀୟଙ୍କ ଘର, ହିନ୍ଦୋଳ ଥାନା ବାଉଁଶପୋଖରୀରେ ପୈତୃକ ଘର, ଭୁବନେଶ୍ବର ଶ୍ରୀବିହାରରେ ଅନ୍ୟ ଗୋଟିଏ ଘର ଓ CDMO କାର୍ଯ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠ ସାମିଲ ଥିଲା। ୫ ଡିଏସ୍ପିଙ୍କ ନେତୃତ୍ବରେ ୮ ଇନ୍ସପେକ୍ଟର, ୧୪ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ଅଂଶଗ୍ରହଣ କରିଥିଲେ।ସୁବ୍ରତ ବେହେରାଙ୍କ ବିରୁଦ୍ଧରେ ପୂର୍ବରୁ ସରକାରୀ ଅର୍ଥ ତୋଷରପାତ ଅଭିଯୋଗ ଥିଲା।
ମିଥ୍ୟା ବିଲ୍ ଓ ଭାଉଚର୍ ମାଧ୍ୟମରେ ସେ ୨ କୋଟି ୩୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ପରେ ମାମଲାକୁ ଭିଜିଲାନ୍ସ ନେଇଥିଲା। ଚଢ଼ଉ ସମୟରେ ବହୁ ବ୍ୟାଙ୍କ ପାସ୍ବୁକ୍, ପୋଷ୍ଟାଲ ଜମାଖାତା ଓ ଆବଶ୍ୟକ କାଗଜପତ୍ର ଜବତ ହୋଇଛି। ସମସ୍ତ ସଂପତ୍ତିର ମୂଲ୍ୟାଙ୍କନ ଚାଲିଥିବାବେଳେ ଚଢ଼ଉ ଶେଷ ହୋଇନଥିବାରୁ ଆହୁରି ସଂପତ୍ତି ମିଳିବାର ସମ୍ଭାବନା ରହିଛି।ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
