ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ଚତୁର୍ଥ ଉତ୍କଳ କୃଷି ମେଳା- ୨୦୨୬ ଉଦଘାଟିତ ।
ଗଜପତି, ୧୧.୨(ମନୋଜ ପାଢ଼ୀ)-: ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଦୁଇ ଦିନିଆ ଉତ୍କଳ କୃଷି ମେଳାର ଚତୁର୍ଥ ସଂସ୍କରଣର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏସ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ I ସମ୍ମାନିତ ଅତିଥ୍ ଭାବରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହି, ଗଜପତି ଜିଲ୍ଲା ପରିଷଦ ଅଧ୍ଯକ୍ଷ ଜି. ତିରୁପତି ରାଓ ଯୋଗ ଦେଇଥିଲେ I ଉଦଘାଟନୀ ଉତ୍ସବର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ, ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ ଏବଂ ତାପସୀ କର ଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ସହିତ ଆରମ୍ଭ ହୋଇଥିଲା । ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର ପ୍ରୋ-ଭାଇସ-ଚାନ୍ସଲର ପ୍ରଫେସର (ଡ.) ଅଜୟ କୁମାର ନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଶ୍ବବିଦ୍ୟାଳୟ ର ଉପସଭାପତି ପ୍ରଫେସର ଡି. ଏନ. ରାଓ, କୁଳପତି ପ୍ରଫେସର (ଡ.) ସୁପ୍ରିୟା ପଟ୍ଟନାୟକ ଏବଂ କୁଳସଚିବ ପ୍ରଫେସର (ଡ.) ଅନିତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କୃଷି ବିକାଶ ଏବଂ କୃଷକମାନଙ୍କ ଉନ୍ନତି ଉପରେ କେନ୍ଦ୍ରିତ ଥିଲା । ମୁଖ୍ୟ ଅତିଥି ଦକ୍ଷତା ଆଧାରିତ କୃଷି ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ କୃଷି, ମତ୍ସ୍ୟ ଏବଂ ପଶୁପାଳନ କ୍ଷେତ୍ରର ଚାଷୀମାନଙ୍କ ନିକଟରେ ବିଭିନ୍ନ କୃଷି ପ୍ରଯୁକ୍ତିବିଦ୍ୟା ପହଞ୍ଚାଇବାରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ତତ୍ ସହିତ କୃଷିମେଳା ରେ ଉପସ୍ଥିତ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ରେ ଲାଭାନ୍ବିତ ହେବାପାଇଁ ପ୍ରେରିତ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ ଦକ୍ଷିଣ ଓଡ଼ିଶାର ମେରୁଦଣ୍ଡ କୃଷିକୁ ସଂଗଠିତ କରିବାରେ ଚାଷୀମାନଙ୍କର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ I ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ ସ୍ମାର୍ଟ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ I
ଜିଲ୍ଲା ପରିଷଦ ଅଧ୍ଯକ୍ଷ କୃଷକ ସମାଜକୁ ସଶକ୍ତ କରିବାରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଅତିଥିମାନେ ପ୍ରଥମ ପୁଷ୍ପ ପ୍ରଦର୍ଶନୀ ୨୦୨୬ ଉଦଘାଟନ କରିଥିଲେ ଏବଂ ବିଭିନ୍ନ ରଙ୍ଗର ଫୁଲ ବ୍ୟବହାର କରି ବିଭିନ୍ନ ସାଜସଜ୍ଜା କରିବାରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ପ୍ରତିଷ୍ଠାନ, ଏନଜିଓ, ଏଫପିଓ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସରକାରୀ ବିଭାଗର ଗବେଷକ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ I କୃଷି ଏବଂ ଆନୁଷଙ୍ଗିକ ଉତ୍ପାଦ ପ୍ରଦର୍ଶନ ପାଇଁ ୭୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା I ପରେ ପ୍ରଗତିଶୀଳ ଚାଷୀମାନଙ୍କୁ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଶେଷରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର (ଡ.) ଅନିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ I
