ଗଞ୍ଜାମରେ ଅତ୍ୟାଧୁନିକ ଡ୍ରୋନ୍ ଉତ୍ପାଦନ କେନ୍ଦ୍ର, ୪୧୧୧ କୋଟି ନିବେଶରେ ୨୩ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଗଞ୍ଜାମରେ ଅତ୍ୟାଧୁନିକ ଡ୍ରୋନ୍ ଉତ୍ପାଦନ କେନ୍ଦ୍ର, ୪୧୧୧ କୋଟି ନିବେଶରେ ୨୩ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଗଞ୍ଜାମରେ ଅତ୍ୟାଧୁନିକ ଡ୍ରୋନ୍ ଉତ୍ପାଦନ କେନ୍ଦ୍ର, ୪୧୧୧ କୋଟି ନିବେଶରେ ୨୩ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର: ଓଡ଼ିଶାର ଶିଳ୍ପ ବିକାଶକୁ ଆହୁରି ଗତି ଦେବା ପାଇଁ ଗଞ୍ଜାମ ଜିଲ୍ଲାରେ ଅତ୍ୟାଧୁନିକ କାର୍ଯ୍ୟଦକ୍ଷତା ବିଶିଷ୍ଟ ଡ୍ରୋନ୍ ତିଆରି ହେବ। ଇନ୍ଭେଣ୍ଟ୍ ଗ୍ରିଡ୍ ଇଣ୍ଡିଆ ପକ୍ଷରୁ ପ୍ରାୟ ୩୦୦ କୋଟି ଟଙ୍କା ନିବେଶରେ ଏକ ମଲ୍ଟି-ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷର ୧୪୪ତମ ବୈଠକରେ ଏହି ପ୍ରକଳ୍ପ ସହିତ ମୋଟ ୪୧୧୧.୮୦ କୋଟି ଟଙ୍କା ନିବେଶର ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ପ୍ରାୟ ୧୦ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ।

ଅନୁମୋଦିତ ପ୍ରକଳ୍ପଗୁଡିକ ବାଲେଶ୍ବର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପିତ ହେବ। ଭଦ୍ରକରେ ୩୩୯.୪୦ କୋଟି ଟଙ୍କା ନିବେଶରେ ଜାହାଜ ନିର୍ମାଣ ଓ ମରାମତି କାରଖାନା, ଖୋର୍ଦ୍ଧାରେ ୩୮୪ କୋଟି ଟଙ୍କାରେ ରେଳ ଉପକରଣ ନିର୍ମାଣ କାରଖାନା, ଏବଂ ୧୦୦ କୋଟି କରି ପୋଷାକ ଓ ଔଷଧ କାରଖାନା ସ୍ଥାପିତ ହେବ।ଖଣିଜ ଓ ଧାତବ କ୍ଷେତ୍ରରେ ସୁନ୍ଦରଗଡ଼ରେ ୬୦୦ କୋଟି ଟଙ୍କାର ଲୁହାପଥର ବିନିଫିକେସନ ପ୍ରକଳ୍ପ ଓ ଦେବଗଡ଼ରେ ୨୫୦ କୋଟି ଟଙ୍କାର ପେଲେଟ୍ କାରଖାନା ଗଠନ ହେବ। ଏହାସହ ସୁନ୍ଦରଗଡ଼ରେ ଇଷ୍ଟସାଇଡ୍ ଶୁଭ ଷ୍ଟିଲ୍, ଆର୍ଯ୍ୟଜ୍ ଓର୍ ରିଫାଇନାରି ଓ ରଶ୍ମି ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରି ମଧ୍ୟ ନିବେଶ କରିବେ।ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଖୋର୍ଦ୍ଧାରେ ୨୧୦ କୋଟି ଟଙ୍କାର ପଞ୍ଚତାରକା ହୋଟେଲ୍, ପୁରୀରେ ୨୦୦ କୋଟି ଟଙ୍କାର ପଞ୍ଚତାରକା ଓ ୭୦ କୋଟି ଟଙ୍କାର ଚାରିତାରକା ହୋଟେଲ୍, ସମ୍ବଲପୁରରେ ୬୪.୧୦ କୋଟି ଟଙ୍କାର ଚାରିତାରକା ହୋଟେଲ୍ ନିର୍ମାଣ ହେବ।ଏହାଛଡା କଟକରେ ଔଷଧ କାରଖାନା, ସୁନ୍ଦରଗଡ଼ ଓ ଯାଜପୁରରେ ରିଫ୍ରାକ୍ଟରି ପ୍ରକଳ୍ପ, କୋରାପୁଟରେ ଆଲୁମିନା ଆଧାରିତ ପ୍ରକଳ୍ପ, ବାଲେଶ୍ବରରେ ପ୍ୟାକେଜିଂ ଇଉନିଟ୍, କଟକରେ ଖାଦ୍ୟତେଲ ଓ କାଚ କାରଖାନା, ଏବଂ ୧୬୦.୭୫ କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ସ୍ଥାପନ ହେବ। ଗଞ୍ଜାମରେ ୩୮୭ କୋଟି ଟଙ୍କାର ପ୍ଲାଷ୍ଟିକ ଉତ୍ପାଦ କାରଖାନା ମଧ୍ୟ ବସିବ।