ପଟ୍ଟାଙ୍ଗିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୫ ଗୁରୁତର

ପଟ୍ଟାଙ୍ଗିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୫ ଗୁରୁତର

ପଟ୍ଟାଙ୍ଗିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୫ ଗୁରୁତର

ପଟ୍ଟାଙ୍ଗି (ଇନଫର୍ମେସନ୍‌ ମିଡିଆ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି–ଅମ୍ପାବାଲି ରାସ୍ତାର ପେଟୁରୁ ଛକ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଭୟାବହ ଦୁର୍ଘଟଣା ଘଟିଛି। ଏହାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କୁ ପ୍ରଥମେ ପଟ୍ଟାଙ୍ଗି ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳ ବାରିଗାଁର ସେଡା ଆପାନା ତାଙ୍କ ସ୍ତ୍ରୀ ସେଡା ଅନିତା, ୫ ବର୍ଷର ଝିଅ ଓ ୨ ବର୍ଷର ପୁଅ ସହ ଅମ୍ପାବାଲି ଗ୍ରାମପଞ୍ଚାୟତର ଗୁମୁଡୁପାଡୁ ଗ୍ରାମକୁ ବାଇକ୍‌ (AP39DS 5601) ଯୋଗେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ଚିନ୍ତା ଏକୁବୁ, ସଙ୍କେଲି କୃପା ଓ ମୁଷୁରୀ ସିନାୟ ଆସୁଥିଲେ। ପେଟୁରୁ ଛକ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ସେଡା ଅନିତା ଓ ଚିନ୍ତା ଏକୁବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଅନ୍ୟପଟେ ସେଡା ଆପାନା, ତାଙ୍କ ପୁଅ-ଝିଅ, ସଙ୍କେଲି କୃପା ଓ ମୁଷୁରୀ ସିନାୟ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ସୁଙ୍କି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।