ରୁଷ୍–ୟୁକ୍ରେନ୍‌ ଯୁଦ୍ଧ: ୫୫,୦୦୦ ୟୁକ୍ରେନ୍‌ ସେନା ନିହତ ବୋଲି ଜେଲେନସ୍କିଙ୍କ ସ୍ୱୀକାର

ରୁଷ୍–ୟୁକ୍ରେନ୍‌ ଯୁଦ୍ଧ: ୫୫,୦୦୦ ୟୁକ୍ରେନ୍‌ ସେନା ନିହତ ବୋଲି ଜେଲେନସ୍କିଙ୍କ ସ୍ୱୀକାର

କିବ୍: ୟୁକ୍ରେନ୍‌ ସହ ରୁଷ୍‌ର ଯୁଦ୍ଧ ୨୦୨୨ ମସିହାରୁ ଅବିରତ ଚାଲିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୫୫,୦୦୦ ୟୁକ୍ରେନ୍‌ ସେନା ନିହତ ହୋଇଥିବାକୁ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସ୍ୱୀକାର କରିଛନ୍ତି। ବୁଧବାର ଦିନ ତାଙ୍କର ଏହି ମନ୍ତବ୍ୟ ଆସିଛି, ଯେତେବେଳେ ରୁଷ୍‌ର ଆକ୍ରମଣର ଚତୁର୍ଥ ବାର୍ଷିକୀ ନିକଟରେ ଏବଂ ଆବୁଧାବିରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରବିରତି ଆଲୋଚନା ଚାଲିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ ସଂଘର୍ଷକୁ ସମାପ୍ତ କରିବା ପାଇଁ ଏହି ଆଲୋଚନା ଗୁରୁତ୍ୱ ପାଉଛି।ଫ୍ରାନ୍ସ ୨ ଟିଭିକୁ ଦେଇଥିବା ସାକ୍ଷାତ୍‌କାରରେ ଜେଲେନସ୍କି କହିଛନ୍ତି ଯେ, ଯୁଦ୍ଧକ୍ଷେତ୍ରରେ ନିହତ ୟୁକ୍ରେନ୍‌ ସେନାଙ୍କ ସଂଖ୍ୟା ପ୍ରାୟ ୫୫,୦୦୦। ଆହତ ଓ ନିଖୋଜଙ୍କ ନିର୍ଦ୍ଦିଷ୍ଟ ଆକଳନ ସେ ପ୍ରକାଶ କରିନାହାନ୍ତି। ଏହାପୂର୍ବରୁ ୨୦୨୫ ଫେବ୍ରୁଆରିରେ ସେ କହିଥିଲେ ଯେ, ୪୬,୦୦୦ରୁ ଅଧିକ ୟୁକ୍ରେନ୍‌ ସେନା ନିହତ ହୋଇଛନ୍ତି।

ୱାସିଂଟନ୍‌ ଭିତ୍ତିକ ‘ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ ଇଣ୍ଟର୍ନ୍ୟାସନାଲ୍‌ ଷ୍ଟଡିଜ୍‌’ ୨୦୨୫ ମଧ୍ୟଭାଗରେ ଆକଳନ କରିଥିଲା ଯେ, ଯୁଦ୍ଧ ଆରମ୍ଭରୁ ପ୍ରାୟ ୪ ଲକ୍ଷ ୟୁକ୍ରେନ୍‌ ସେନା ନିହତ କିମ୍ବା ଆହତ ହୋଇଛନ୍ତି।ମିଳିତ ଜାତିସଂଘର ମାନବାଧିକାର ମନିଟରିଂ ମିସନର ରିପୋର୍ଟ ଅନୁଯାୟୀ, ୨୦୨୫ରେ ୟୁକ୍ରେନ୍‌ରେ ରୁଷ୍‌ର ଆକ୍ରମଣରେ ୨,୫୧୪ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିବା ବେଳେ ୧୨,୧୪୨ ଜଣ ଆହତ ହୋଇଛନ୍ତି, ଯାହା ୨୦୨୪ ତୁଳନାରେ ପ୍ରାୟ ଏକ-ତୃତୀୟାଂଶ ଅଧିକ। ଚାଲିଥିବା ଯୁଦ୍ଧରେ ରୁଷ୍‌ ମଧ୍ୟ ଭାରୀ କ୍ଷତି ସହିଛି।

ୟୁକ୍ରେନ୍‌ର ସାମରିକ କମାଣ୍ଡର ଓଲେକଜାଣ୍ଡର ସିର୍ସ୍କି ଜାନୁଆରିରେ କହିଥିଲେ ଯେ, କେବଳ ୨୦୨୫ରେ ଯୁଦ୍ଧ ସମୟରେ ପ୍ରାୟ ୪୨୦,୦୦୦ ରୁଷୀୟ ସେନା ନିହତ ବା ଆହତ ହୋଇଥିଲେ। ବ୍ରିଟିଶ୍‌ ପ୍ରତିରକ୍ଷା ଗୁପ୍ତଚର ବିଭାଗର ୨୦୨୫ ଅକ୍ଟୋବର ଆକଳନ ଅନୁଯାୟୀ, ଯୁଦ୍ଧରେ ମୋଟ ନିହତ କିମ୍ବା ଆହତ ରୁଷୀୟ ସେନାଙ୍କ ସଂଖ୍ୟା ପ୍ରାୟ ୧.୧ ମିଲିୟନ୍‌କୁ ପହଞ୍ଚିଛି। ଯୁଦ୍ଧ ଚାଲିଥିବା ସମୟରେ ଉଭୟ ଦେଶ ନିଜ ଆହତଙ୍କ ସଂଖ୍ୟା ସାଧାରଣତଃ ପ୍ରକାଶ କରନ୍ତିନାହାନ୍ତି, କିନ୍ତୁ ଶତ୍ରୁ ପକ୍ଷର କ୍ଷୟକ୍ଷତି ବିଷୟରେ ସକ୍ରିୟ ଭାବରେ ତଥ୍ୟ ଜାରି କରୁଛନ୍ତି।